
ସତ୍ୟଶିଖା ୧୯/୦୧/୨୦୨୧ : ସହଯୋଗର ହାତ ବଢ଼ାଇ ଜନୈକା ବିବାହିତା ମହିଳାଙ୍କୁ ଗଣ ବଳାତ୍କାର କରିବା ଭଳି ଲଜ୍ୟାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ମୋରଡା ଥାନା ଇଲାକାରେ । ଗତ ଶୁକ୍ରବାର ମୋରଡା ଥାନା ଅଞ୍ଚଳର ଉକ୍ତ ମହିଳା ବ୍ୟାଙ୍କ କାମ ପାଇଁ ଚାଲି ଚାଲି ଘରୁ ଚିତ୍ରଡାକୁ ଯାଉଥିଲେ । ତାଙ୍କର ପରିଚିତ ରାଜମିସ୍ତ୍ରୀ ଗୋପିନାଥପୁର ଗ୍ରାମର ସେକ ପୁଟୁକୁ ବାଇକରେ ଆସି ସହାୟତାର ହାତ ବଢାଇ ଚିତ୍ରଡାରେ ଛାଡିଦେବା ପାଇଁ ନେଇଯାଇଥିଲେ । ଚିତ୍ରଡାରେ ଛାଡ଼ିବା ବଦଳରେ ପଶ୍ଚିମବଙ୍ଗ ଅଞ୍ଚଳ ତାଙ୍କ ଭଉଣୀ ଘରକୁ ନେଇ ମୋବାଇଲ ଫୋନ ଜବତ କରି ବାରମ୍ବାର ବଳାତ୍କାର କରିଥିଲେ । ପରେ ପୁଟୁକୁର ବଡଭାଇ ସେକ ସିରାଜ ମହିଳାଙ୍କୁ ଉଦ୍ଧାର କରି ଆଣିବା ପାଇଁ ସହାୟତାର ହାତ ବଢାଇ ବିଳମ୍ବିତ ରାତିରେ ଏକ କାରରେ ସେଠାରେ ପହଞ୍ଚି ମହିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲା ।
ମହିଳାଙ୍କୁ ଆଣିବା ବାଟରେ କାର ଛିଡା କରି ଚାଳକ ସହ ୩ ଜଣ ଉଦ୍ଧାରକାରୀ ଜଣେ ପରେ ଜଣେ ବଳାତ୍କାର କରିଥିଲେ ।ଶନିବାର ଭୋର ସମୟରେ ଚିତ୍ରଡା-ମୋରଡା ରାସ୍ତାର ଜମ୍ଭୀରା ନଦୀକୂଳ ନିକଟରେ ପୀଡିତାଙ୍କୁ ଗାଡିରୁ ଓହ୍ଲାଇ ଦେଇ ସେମାନେ ପଳାଇଗଲେ । ଲୋକଲଜ୍ୟାକୁ ଡରି ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେବାବେଳେ ମୋବାଇଲ ଫୋନଦ୍ୱାରା ସେ ସମ୍ପର୍କୀୟଙ୍କୁ ଫୋନ କରି ମନର କଥା ଜଣାଇଥିଲେ । ଖବର ପାଇ ପୀଡିତାଙ୍କ ସ୍ଵାମୀ, ପରିବାର ଓ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ । ମୋରଡା ଥାନାରେ ଏତଲା ପରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସେକ ସିରାଜକୁ ପୁଲିସ ଗିରଫ କରିଛି । ଅନ୍ୟ ୩ ଜଣ ଫେରାରଥିବାରୁ ପୁଲିସ ଖୋଜୁଛି । ପୀଡିତା ଜଣେ ୱାର୍ଡ ସଭ୍ୟା ଏବଂ ଏସଏଚଜିର ସଭ୍ୟା ହୋଇଥିବାରୁ ମହିଳା ଆନ୍ଦୋଳନ ଦାନା ବାନ୍ଧୁଥିବା ଜଣାପଡିଛି ।