

ସତ୍ୟଶିଖା ୧୧ .୦୯.୨୦୨୦ : ରାଜ୍ୟସଭା ଉପାଧ୍ୟକ୍ଷ ପଦ ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହେବେ ଆର୍ଜେଡିର ସାଂସଦ ମନୋଜ ଝା । ବିଭିନ୍ନ ବିରୋଧୀ ଦଳମାନଙ୍କ ଦ୍ୱାରା ମନୋଜ ଝାଙ୍କ ନାମକୁ ଚୂଡ଼ାନ୍ତ କରାଯାଇଛି । ମନୋଜ ଝା ପ୍ରାର୍ଥୀପତ୍ର ଦାଖଲ କରିବେ । ନାମାଙ୍କନ ପତ୍ର ଦାଖଲ ସମୟରେ ବିରୋଧୀ ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମନୋଜ ଝାଙ୍କର ଏନ୍ଡିଏ ପ୍ରାର୍ଥୀ ହରିବଂଶଙ୍କ ସହିତ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବ ।
ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହରିବଂଶ ଏନ୍ଡିଏର ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ମନୋଜ ଝାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବିରୋଧୀ ଦଳ ପକ୍ଷରୁ କଂଗ୍ରେସ ନେତା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି । ରାଜ୍ୟସଭା ଉପାଧ୍ୟକ୍ଷ ପଦ ହାତେଇବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଇଁ ଏକ ବଡ଼ ପରୀକ୍ଷା । ୧୯୭୭ରୁ ୨୦୧୮ ପର୍ଯ୍ୟନ୍ତ କଂଗ୍ରେସ ଦଖଲରେ ଥିବା ଏହି ଆସନକୁ କଂଗ୍ରେସ ପୁଣିଥରେ ଅକ୍ତିଆର କରିବାକୁ ଚାହିଛି । କୌଣସି ପକ୍ଷରେ ସଂଖ୍ୟା ଗରିଷ୍ଠତା ନାହିଁ । ଏନଡିଏ ପାଖରେ ୧୧୭ ଏମପି ରହିଥିବାବେଳେ କଂଗ୍ରେସର ୪୦ ଜଣ ସଦସ୍ୟ ରହିଛନ୍ତି ।