

ସତ୍ୟଶିଖା ୦୧.୦୮.୨୦୨୦ : ଆଜି ଅପରାହ୍ଣରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କର ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଦେହାନ୍ତ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ସିଂ କିଛି ମାସ ହେବ ସିଙ୍ଗାପୁରରେ ଚିକିତ୍ସାଧୀନ ଥିଲେ । ଅସୁସ୍ଥତା ମଧ୍ୟରେ ଅମର ସିଂ ସାମାଜିକ ଗଣମାଧ୍ୟମରେ ଖୁବ୍ ସକ୍ରିୟ ଥିଲେ। ଆଜି ମଧ୍ୟ ସେ ସ୍ୱାଧୀନତା ସଂଗ୍ରାମୀ ଏବଂ ଶିକ୍ଷାବିତ ବାଳଗଙ୍ଗାଧର ତିଳକଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଟୁଇଟ୍ କରିବା ସହ ନିଜ ଅନୁଗାମୀମାନଙ୍କୁ ଇଦ୍ ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସମାଜବାଦୀ ପାର୍ଟି ଛାଡ଼ିବା ପରେ ଜଣେ ରାଜନେତା ଭାବେ ସିଂହଙ୍କ ଗୁରୁତ୍ବ ହ୍ରାସ ପାଇଥିଲା। ସେ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ଅତି ଘନିଷ୍ଠ ବୋଲି ଦିନେ ବିବେଚିତ ହେଉଥିଲେ।