ନ୍ୟୁଜ୍ରାଜନୀତିରାଜ୍ୟ

୫୧୮ ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ, ଧରାଶାୟୀ ଦୁଇ ପ୍ରମୁଖ ବିରୋଧୀ

ସତ୍ୟଶିଖା( ଭୁବନେଶ୍ୱର )୨୮.୦୨.୨୦୨୨ : ଓଡିଶା ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କୁ ଚିତ୍ ପଟାଙ୍ଗ କରିଛି ଶାସକ ଦଳ। ରାଜ୍ୟର ପ୍ରାୟ ୩୦ ଜିଲ୍ଲାରେ ଜବରଦସ୍ତ ପ୍ରଦର୍ଶନ କରିଛି ବିଜେଡି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ପ୍ରକାର ହଜିଯାଉଥିବା କଂଗ୍ରେସ ଦକ୍ଷିଣ ଓଡିଶା ତଥା ଅନ୍ୟାନ୍ୟ ଅଞ୍ଚଳରେ ନିଜର ପାରମ୍ପାରିକ ଗଡ଼ ବଜାୟ ରଖିଥିବାରୁ କଂଗ୍ରେସର ପ୍ରଦର୍ଶନ ଉଲ୍ଲେଖନୀୟ କରିଛି । ତେବେ ଗତ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡିକୁ ଚକ୍‌ମା ଦେଇଥିବା ବିଜେପି ଏଥର କିନ୍ତୁ ଢେର ପଛରେ ପଡିଯାଇଛି । ପଞ୍ଚାୟତ ନିର୍ବାଚନରେ ବିଜେପିର ବିପର୍ଯ୍ୟସ୍ତ ପ୍ରଦର୍ଶନ କେବଳ ରାଜ୍ୟ ନେତୃତ୍ୱକୁ ନୁହେଁ ବରଂ ଦଳର ଜାତୀୟ ନେତୃତ୍ୱ ମାନଙ୍କୁ ମଧ୍ୟ ଦୋହଲାଇ ଦେଇଛି।

ଆଜି ପଞ୍ଚାୟତ ନିର୍ବାଚନ ମତଦାନ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ୫୮୫ ଆସନର ଫଳାଫଳ ପ୍ରକାଶ ପାଇଛି। ଏଥିରୁ ୫୧୮ ଆସନ ସହିତ ବିଜେଡି ସବୁଠୁ ଆଗରେ ରହିଥିବା ବେଳେ ବିଜେପିକୁ ୩୧ ଏବଂ କଂଗ୍ରେସକୁ ୨୯ ଆସନ ମିଳିଛି। ତେବେ ଗଣତି ଚାଲିଥିବା ବେଳେ ଦ୍ବିତୀୟ ଦିନ ସୁଦ୍ଧା ୮୫୨ ସିଟ୍‌ରୁ ୫୫୨ ସିଟ୍‌ରେ ବିଜେଡି ଆଗୁଆ ରହିଛି। ଆଜି ୨୩୧ ଜିଲ୍ଲା ପରିଷଦ ଆସନରେ ହେବ ଭୋଟ ଗଣତି ହେବ।

ତେବେ ବର୍ତ୍ତମାନ ସୁଦ୍ଧା ଉପକୂଳ, ପଶ୍ଚିମ, ଉତ୍ତର, ଦକ୍ଷିଣ ଯେଉଁଠି ଦେଖିଲେ ବିଜେଡି। ସବୁଆଡ଼େ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବରଦସ୍ତ କ୍ରେଜ୍ ସବୁଠି ଦେଖିବାକୁ ମିଳିଛି। ବିଜେଡିର ଏଭଳି ଏକତରଫା ଫଳାଫଳକୁ ବିରୋଧୀ ଦଳର ଶୀର୍ଷ ନେତୃତ୍ବ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କହିବାକୁ ଗଲେ ବିଜେଡି ପଞ୍ଚାୟତ ଜନମତକୁ ଏକପ୍ରକାର ପୋଛିନେଇଛି। ଦୁଇ ପ୍ରମୁଖ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ଧରାଶାୟୀ ହୋଇଛନ୍ତି ।

Show More
Back to top button