ତାମିଲନାଡୁରେ ବର୍ଷାର ପ୍ରକୋପ ଜାରି: ୧୧ଟି ଜିଲ୍ଳାରେ ସ୍କୁଲ-କଲେଜ ବନ୍ଦ

ସତ୍ୟଶିଖା( ଚେନ୍ନାଇ) ୨୯.୧୧.୨୦୨୧:  ତାମିଲନାଡୁରେ ଲଗାତାର ବର୍ଷା ଜାରି ରହିଛି। ତ୍ରିଚୀରେ ଗତ ୩ ଦିନ ହେବ ମୁସଲଧାରା ବର୍ଷା ହେଉଛି। ଏଠାରେ ସଡ଼କ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ବର୍ଷା ଯୋଗୁଁ ୧୧ଟି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ସାଧାରଣ ଜନତାଙ୍କ ପାଇଁ ବର୍ଷା ଦାଉ ସାଧୁଛି।

ଜଣେ ପ୍ରଶାସନିକ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବର୍ଷା ଯୋଗୁଁ ଲୋକେ ନିଜ ନିଜ ଘର ଭିତରେ ଫସିଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କରାଯାଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ପ୍ରଶାସନ ତରଫରୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି।

ବର୍ଷାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ରାଜ୍ୟପାଳ ଆରଏନ୍‌ ରବିଙ୍କୁ ଭେଟିଛନ୍ତି। ସେ ବର୍ଷା ଯୋଗୁଁ ଉପୁଜିଥିବା ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି। ଚେନ୍ନାଇ ନିବାସୀ ଜଣେ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି, ବର୍ଷା ଯୋଗୁଁ ସେ ଅସୁବିଧାର ସାମ୍ନା କରୁଛନ୍ତି। ସଡ଼କ ଗୁଡ଼ିକ ଜଳପୂର୍ଣ୍ଣ ରହିବା କାରଣରୁ ଯାଜବାହନ ଚଳାଚଳରେ ଅସୁବିଧା ଦେଖାଯାଉଛି। ଲୋକଙ୍କୁ ଖାଦ୍ୟପେୟର ମଧ୍ୟ ଅସୁବିଧା ହେଉଛି। ଘରେ ବର୍ଷା ପାଣି ପ୍ରବେଶ କରୁଛି। ବର୍ଷା କାରଣରୁ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି।

Exit mobile version