
ସତ୍ୟଶିଖା ୧୯/୦୧/୨୦୨୧ : ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିସିସିଆଇ ବଡ ଘୋଷଣା କରିଛି । ଦଳ ପାଇଁ ବିସିସିଆଇ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ।ମଙ୍ଗଳବାର ବ୍ରିସବେନ୍ ଟେଷ୍ଟରେ ଦଳ ବିଜୟ ହେବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ କବଜା କରିଛି । ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ବ୍ରିସବେନରେ ପରାଜୟ ବରଣ କରିଛି । । ରିଷଭ ପନ୍ତଙ୍କ ଧୂଆଁଧାର ଇଂନିସ ବଳରେ ଭାରତ ଏହି ସଫଳତା ହାସଲ କରିପାରିଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଆଜିଙ୍କ୍ୟ ରାହାଣେ ଦଳକୁ ଏହି ବିଜୟ ଭେଟିଦେଇଛନ୍ତି । ଅନ୍ୟପଟେ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଭିନ୍ନ କ୍ରିକେଟରମାନେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।