ରାଜ୍ୟ

୩ରୁ ବର୍ଷା ବଢ଼ିବ , ୧୪ ଜିଲ୍ଲାକୁ ଚେତାବନୀ

ସତ୍ୟଶିଖା(ଭୁବନେଶ୍ୱର )୨.୦୯ .୨୦୨୧:ରାଜ୍ୟରେ ଏବେ ନିଅଣ୍ଟ ବର୍ଷା ପରିମାଣ ସ୍ୱାଭାବିକଠାରୁ ୨୯% କମ୍ ରହିଛି । ହେଲେ ତିନିମାସର ଲୁଚକାଳି ଖେଳ ପରେ ଆଶା ସଞ୍ଚାର କରୁଛି ସମ୍ଭାବ୍ୟ ଲଘୁଚାପ । ସେପ୍ଟେମ୍ବର ୫ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ମୌସୁମୀ ଟ୍ରପଲାଇନ୍ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ୩ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ।  ୩ ତାରିଖ ଦିନ ୧୪ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ବିଶେଷ କରି କହିବାକୁ ଗଲେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ।

ଖାଲି ସେତିକି ନୁହେଁ ଅଧିକାଂଶ ଅଭାବୀବର୍ଷା ରେକର୍ଡ ହୋଇଥିବା ଜିଲ୍ଲାରେ ଏବେ ବର୍ଷା ସମ୍ଭାବନା ଅଧିକ ଥିବାବେଳେ ସାମ୍ଭାବ୍ୟ ଲଘୁଚାପ ଶୁଖିଲା ଜମିର ତୃଷ୍ଣା ମେଣ୍ଟାଇବ ବୋଲି ପୂର୍ବାକଳନ ପ୍ରକାଶ ପାଇଛି ।  ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବଲାଙ୍ଗିରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେପଟେ ଚଳିତ ମୌସୁମୀ ସିଜିନ୍ ଅନୁସାରେ ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୩୫.୮ ମିଲିମିଟର ବର୍ଷା ହେବାକଥା ।

କିନ୍ତୁ ଏହି ସମୟ ମଧ୍ୟରେ ୬୬୬.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି, ଖୋର୍ଦ୍ଧା, କୋରାପୁଟ, କଟକ,ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ବାକି ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୪୦ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ପାଇଁ ୩ ଜିଲ୍ଲା ଭଦ୍ରକ, ବଲାଙ୍ଗିର ଏବଂ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଛି । ବାକି ୨୦ ଜିଲ୍ଲାରେ ୨୦ରୁ ୩୯% ନିଅଣ୍ଟିଆ ରହିଛି । କେବଳ ଅଗଷ୍ଟ ମାସରେ ୪୪% ନିଅଣ୍ଟିଆ ବର୍ଷା ହୋଇଥିବାରୁ ରାଜ୍ୟରେ ଅଭାବୀ ବର୍ଷା ପରିମାଣ ଅହେତୁକ ଭାବେ ବୃଦ୍ଧିପାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Show More
Back to top button