ଲଘୁଚାପ ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା


ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା । 18 କିମି ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବିଶାଖାପାଟଣାରୁ 380, ପାରାଦୀପ ଠାରୁ 380 କିମି ଦୂରରେ ଅବସ୍ଥିତ । ଉତ୍ତର -ଉତ୍ତରପୂର୍ବ ଦିଗକୁ ଗତିକରି ଏହା ଆହୁରି ଅଧିକ ଘନୀଭୂତ ହେବ । 18 ତାରିଖ ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଝିରେ ଅତିକ୍ରମ କରିବ । 18 ତାରିଖ ସକାଳେ ପବନର ବେଗ ସର୍ବାଧିକ 75 କିମି ରହିବ ।
ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ଆରମ୍ଭ ହୋଇଗଲାଣି । ଟ୍ୱିନ ସିଟିରେ ସକାଳୁ ପାଗ ମେଘୁଆ ରହିଛି । ଭୁବନେଶ୍ୱରରେ ଝିପ ଝିପ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ସେହିପରି ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ କଟକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବାଲେଶ୍ବର, ମୟୂରଭଞ୍ଜ, ଜୟପୁରରେ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୪୦ ରୁ ୫୦ କିମି ବେଗରେ ପବନ ବହିବ । ତେଣୁ ଆସନ୍ତାକାଲି ଯାଏ ଓଡ଼ିଶା ଉପକୂଳ ଓ ତାର ଆଖପାଖକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସମସ୍ତ ୪ ଟି ବନ୍ଦରରେ 1 ନମ୍ବର ବିପଦ ସଂକେତ ଜାରି ହୋଇଛି ।