ସତ୍ୟଶିଖା (ନୂଆଦିଲ୍ଲୀ) ୧୯.୧୨.୨୦୨୦ : ସମସ୍ତ ରେଳ ଯାତ୍ରୀଙ୍କ ଟିକଟ କନଫର୍ମ ହେବ । କେହି ୱେଟିଂ ଲିଷ୍ଟ୍ରେ ରହିବେ ନାହିଁ । ରେଳବାଇ ପ୍ରସ୍ତୁତ କରିଥିବା ଜାତୀୟ ରେଳ ଯୋଜନା ୨୦୩୦ରେ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୱେଟିଂ ଲିଷ୍ଟ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହେବ । ଚାହିଦା ଭିତ୍ତିରେ ଯାତ୍ରୀଙ୍କ ପାଇଁ ରେଳ ଚଲାଇବା ଉପରେ ବିଚାର କରାଯାଉଛି । ଯେଉଁ ରୁଟ୍ରେ ଯେଉଁଭଳି ଚାହିଦା ରହିବ ସେହି ଅନୁସାରେ ଟ୍ରେନ୍ ଚାଲିବ । ସମସ୍ତଙ୍କୁ କନ୍ଫର୍ମ ଟିକଟ ଦିଆଯିବ । ଫଳରେ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ସିଟ୍କୁ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ ।
ଏହି ମହତ୍ୱକାଂକ୍ଷୀ ଯୋଜନାରେ ମାଲ୍ ପରିବହ ଓ ରାଜସ୍ଵ ବଢ଼ାଇବା ଲାଗି ମଧ୍ୟ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦେଶରେ ଯେତିକି ମାଲ୍ ପରିବହନ ହେଉଛି ତାହାର ୪୭% ଭାଗ ରେଳ ଜରିଆରେ ପରିବହନ କରାଯିବ । ୨୦୩୦ ସୁଦ୍ଧା ରେଳବାଇ ପକ୍ଷରୁ ଆଉ ୪ଟି ଡେଡିକେଟେଡ୍ ଫ୍ରେଟ୍ କରିଡର୍ ନିର୍ମାଣ କରାଯିବ । ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍ରେ ତାହା କାର୍ଯ୍ୟକାରୀ ହେବ । ଇସ୍ପାତ, ଲୁହା ପଥର, ବୟନ ଓ ଅଟୋମୋବାଇଲ୍ କ୍ଷେତ୍ରର ବଡ଼ ବଡ଼ ସଂସ୍ଥାକୁ ଆକୃଷ୍ଟ କରିବାକୁ ରେଳବାଇ ଲକ୍ଷ୍ୟ ରଖିଛି । ରେଳ ବୋର୍ଡର ଅଧ୍ୟକ୍ଷ ଓ ସିଇଓ ଭି କେ ଯାଦବ କହିଛନ୍ତି ଯେ ଆମେ ଦୁଇ ବର୍ଷ ଧରି ଏହି ଯୋଜନାକୁ ତିଆରି କରୁଛୁ । ଏହା ପ୍ରସ୍ତୁତ ହୋଇଯାଇଛି ଓ ଖୁବ୍ଶୀଘ୍ର ଏହା ଉପରେ ଅଂଶୀଦାର ଓ ସର୍ବସାଧାରଣଙ୍କ ମତାମତ ଲୋଡ଼ାଯିବ ।