ରେଳବାଇର ଜିରୋ ବେସ୍‌ଡ ଟାଇମ୍‌ ଟେବୁଲ୍‌ ଶୀଘ୍ର

ସତ୍ୟଶିଖା ୦୫/୧୨/୨୦୨୦ :

ଜିରୋ ବେସ୍‌ଡ ଟାଇମ୍‌ ଟେବୁଲ୍‌ କ’ଣ?

ରେଳବାଇ ପକ୍ଷରୁ ଶୀଘ୍ର ଦେଶରେ ନୂଆ ସମୟ ସାରଣୀ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହାକୁ ଜିରୋ ବେସ୍‌ଡ ଟାଇମ୍‌ ଟେବୁଲ୍‌ କୁହାଯାଉଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାଦ୍ବାରା ଦୂରଗାମୀ ଟ୍ରେନ ଗୁଡ଼ିକର ଯାତ୍ରା ସମୟ ଅତିକମ୍‌ରେ ୩୦ ମିନିଟ୍‌ରୁ ୬ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ରେଳ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭି କେ ଯାଦବ ନିକଟରେ ସୂଚନା ଦେଇଛନ୍ତି । ରେଳ ଚଳାଚଳ ପାଇଁ ଏଭଳି ସମୟ ସାରଣୀ ପ୍ରସ୍ତୁତ କରାଯିବା ସମୟରେ ଧରାଯିବ ଯେ ‌ଧାରଣାରେ କୌଣସି ‌ଟ୍ରେନ ନାହିଁ । ପ୍ର‌ତି ଟ୍ରେନକୁ ନୂଆ ଟ୍ରେନର ସମୟ ଦିଆଯିବ । ଚାହିଦା ନଥିବା ଟ୍ରେନକୁ ବାତିଲ କରିବା ସହିତ ଷ୍ଟପେଜ୍‌ କମ୍ କରାଯିବ । ଏହି ବ୍ୟବସ୍ଥାରେ ରେଳବାଇ ଏହାର ଡବା, ଇଂଜିନ, କ୍ରୁ ଏବଂ ମେଣ୍ଟେନାନ୍ସ ଡିପୋ ଆଦିର ସର୍ବାଧିକ ଉପଯୋଗ କରିପାରିବ ।

ରେଳ ବୋର୍ଡର ଅଧିକାରୀଙ୍କ କହିବାନୁଯାୟୀ, ଟ୍ରେନର ଚଳାଚଳ ଚାହିଦା ଏବଂ ଉପଲବ୍ଧତାକୁ ଦେଖି କରାଯିବ । ଅପରେସନ ରିସର୍ଚ୍ଚ ଟ୍ରାନ୍ସପୋର୍ଟେସନ ଅଲଗରିଦିମ୍‌ ଅନୁଯାୟୀ ଏହି ସମୟ ସାରଣୀ ସ୍ଥିର କରାଯିବ । ଏଥିରେ କୌଣସି ଟ୍ରେନକୁ ଆଗକୁ ଅତିକ୍ରମ କରିବା ସୁବିଧା ଦେବା ପାଇଁ ଅନ୍ୟ କୌଣସି ଟ୍ରେନକୁ ଗୋଟିଏ ସ୍ଥାନରେ ପକାଇ ରଖାଯିବ ନାହିଁ । କାରଣ ସବୁ ଟ୍ରେନର ସମୟ ସାରଣୀ ଅଲଗା ଅଲଗା ଭାବେ ପ୍ରସ୍ତୁତ ହେବ । ଉପଲବ୍ଧ ସମ୍ବଳର ସର୍ବାଧିକ ବିନିଯୋଗ ଲକ୍ଷ୍ୟରେ ଏହି ସମୟ ସାରଣୀ କାର୍ଯ୍ୟ କରିବ । କମ୍‌ ଲୋକ ଯାତ୍ରା କରୁଥିବା ଟ୍ରେନ ଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା ବଢ଼ାଇବା ଏବଂ ଅଧିକ ଚାହିଦା ଥିବା ଟ୍ରେନରେ ଯାତ୍ରୀଙ୍କ ପ୍ରତୀକ୍ଷା ତାଲିକାକୁ ହ୍ରାସ କରିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ନୂଆ ସମୟ ସାରଣୀ କାର୍ଯ୍ୟକାରୀ ହେଲେ ଦେଶରେ ରେଳବାଇକୁ ବାର୍ଷିକ ୮୦୦୦ କୋଟି ଟଙ୍କାର ଲାଭ ପହଞ୍ଚିବ । ସେହିଭଳି କମ୍‌ ଯାତ୍ରୀ ଯାତ୍ରା କରୁଥିବା ପାଖାପାଖି ୬୦୦ ଟ୍ରେନକୁ ବନ୍ଦ କରାଯିବ ଏବଂ ପାଖାପାଖି ୪୦୦ ଟ୍ରେନର ମିଶ୍ରଣ କିମ୍ବା ଉନ୍ନତୀକରଣ କରାଯିବ । ସେହିଭଳି ରହଣୀଗୁଡ଼ିକୁ ମଧ୍ୟ ଯୁକ୍ତିଯୁକ୍ତ କରାଯିବ । ଫଳରେ ପାଖାପାଖି ୧୦ ହଜାର ଷ୍ଟପେଜ୍‌ ଉଠିଯାଇପାରେ ବୋଲି କୁହାଯାଉଛି । ଆଇଆଇଟି-ବମ୍ବେ ସହଯୋଗରେ ଏହି ନୂଆ ‌ଜିରୋ ବେସ୍‌ଡ ଟାଇମ୍‌ ଟେବୁଲ୍ ପ୍ରସ୍ତୁତ କରାଯାଇଛି । ନୂଆ ସମୟ ସାରଣୀ କାର୍ଯ୍ୟକାରୀ ହେଲେ ଟ୍ରେନଗୁଡ଼ିକ ଦ୍ରୁତଗତିରେ ଯାତ୍ରା କରିବ ।ଏପରି ଯୋଜନା କାହିଁକି?

ଭାରତରେ ବ୍ରିଟିସ ଅମଳରୁ ଟ୍ରେନ୍ ଚଳାଚଳ କରୁଛି । କିନ୍ତୁ ଦେଶରେ ପ୍ରତିବର୍ଷ ନୂଆ ଟ୍ରେନ ଚଳାଚଳର ଆବଶ୍ୟକତା ଦେଖାଦେଉଛି । ଏହି ନୂଆ ଟ୍ରେନ ଚଳାଚଳ ସମୟରେ ‌ଦେଖାଯାଏ କେଉଁ ସମୟରେ ନୂଆ ଟ୍ରେନଗୁଡ଼ିକୁ ଚଳାଯାଇ ପାରିବ । ବିଶେଷକରି ଏହି ସମୟ ସାରଣୀ ପ୍ରସ୍ତୁତ କରିବା ସମୟରେ ଯେଉଁ ଟ୍ରେନ୍ ଦୁଇଟି ମଧ୍ୟରେ ସମୟ ପାର୍ଥକ୍ୟ ରହିଥାଏ ସେହି ସମୟରେ ନୂଆ ଟ୍ରେନ ଚଳାଯାଇଥାଏ । ଏହି ବ୍ୟବସ୍ଥା ଦ୍ବାରା ଅଗ୍ରାଧିକାର ନଥିବା ଟ୍ରେନ ଗୁଡ଼ିକୁ ଧାରଣାରେ ଅଟକା ଯାଇ ଅଗ୍ରାଧିକାର ଥିବା ଟ୍ରେନ ଗୁଡ଼ିକୁ ଆଗକୁ ଯିବାକୁ ଦିଆଯାଇଥାଏ । ଅଗ୍ରାଧିକାର ଥିବା ଟ୍ରେନକୁ ଯିବାକୁ ଦିଆଯିବା ସମୟରେ ଅଗ୍ରାଧିକାର ନଥିବା ଟ୍ରେନକୁ ଗୋଟେ ଗୋଟେ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ପକାଇ ରଖାଯାଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଜିରୋ ବେସ୍‌ଡ ଟାଇମ ଟେବୁଲ୍‌ର ପରିକଳ୍ପନା କରାଯାଇଛି ।

ପ୍ରତି ରେଳ ଜୋନ୍‌ କମିଟି
ଜିରୋ ବେସ୍‌ଡ ଟାଇମ୍ ଟେବୁଲ୍‌ ପ୍ରସ୍ତୁତ କରିବା ପାଇଁ ପ୍ରତି ରେଳ ଜୋନ୍‌ରେ ଏକ କମିଟି ଗଠନ କରାଯାଇଥିଲା । ରେଳ ଜୋନ୍‌ର ମହା ପ୍ରବନ୍ଧକଙ୍କୁ କମିଟିର ନୋଡାଲ ଅଧିକାରୀ କରାଯାଇଥିଲା । ରେଳ ଚଳାଚଳ, ରକ୍ଷଣାବେକ୍ଷଣ ଏବଂ ନିର୍ମାଣ ଆଦି ବିଷୟକୁ ଦେଖି କମିଟି ମନ୍ତ୍ରାଳୟକୁ ରିପୋର୍ଟ ଦେବା ପରେ ନୂଆ ଟାଇମ ଟେବୁଲ୍ ପ୍ରସ୍ତୁତିର ବ୍ୟବସ୍ଥା ହୋଇଛି ।

Exit mobile version