

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ପ୍ରଥମ ଥର ପାଇଁ ଚୀନ୍ ବାହାରେ ଆପଲ୍ କମ୍ପାନୀ ତାର ଲୋକ ପ୍ରିୟ ଆଇ ପ୍ୟାଡ୍ର ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି କରିଛି । ବର୍ଷର ମଧ୍ୟ ଭାଗ ଆଡ଼କୁ ଭିଏତ୍ନାମରେ ଏହି ଆଇ-ପ୍ୟାଡ୍ର ଉତ୍ପାଦନ କରାଯିବ । ଏ ନେଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସୂଚନା ଦେଇଛି । ଆପଲ୍ ଚୀନ୍ରେ ଉତ୍ପାଦନ କରୁଥିବା ଆଇ-ପ୍ୟାଡ୍ର ୟୁନିଟ୍କୁ କମାଇବାକୁ ଯାଉଛି । ଏଥି ସହିତ ଭାରତରେ ମଧ୍ୟ ଉତ୍ପାଦନ ବଢ଼ାଇବା ଲକ୍ଷ ରଖିଛି କମ୍ପାନୀ । ଗତ ବର୍ଷ କମ୍ପାନୀ ଆଇ-ଫୋନ୍ ୧୧ର କିଛି ୟୁନିଟ୍ ଏଠାରେ ଉତ୍ପାଦନ କରିଥିଲା । ତେବେ ଖୁବ୍ଶିଘ୍ର ଏହି କ୍ୱାର୍ଟର୍ ମଧ୍ୟରେ ଆଇ-ଫୋନ୍ ୧୨ ସିରିଜ୍ ଡିଭାଇସ୍ ଦେଶରେ ଉତ୍ପାଦନ କରାଯିବା ନେଇ ସୂଚନା ମିଳିଛି ।
ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କମ୍ପାନୀ ଏକ ଚିତ୍ର ଆଙ୍କି କିଛି ତଥ୍ୟ ଦର୍ଶାଇଛି । ଯାହା ରାଷ୍ଟ୍ରପତି ବାଇଡେନଙ୍କ ଅଧୀନରେ ବାଣିଜ୍ୟିକ ତିକ୍ତତା ହ୍ରାସ ପାଇପାରେ ବୋଲି ଆଶା ସତ୍ତ୍ୱେ ଚାଇନାରୁ କମ୍ପାନୀ ଏହାର ଉତ୍ପାଦନକୁ ବିଭିନ୍ନ ଦେଶକୁ ସମ୍ପ୍ରସାରଣ କରିବାକୁ ଅଧିକ ଆଗ୍ରହୀ ବୋଲି ସୂଚାଉଛି । ନିକ୍କିର ରିପୋର୍ଟରୁ ଜଣାପଡ଼ିଛି ଯେ ଚୀନ୍ର ଆମଦାନୀ ଉପରେ ଟାରିଫ୍ ଶିଘ୍ର ସହଜ ହେବ ନାହିଁ ବୋଲି ନୂତନ କରି ସ୍ଥାପିତ ପ୍ରଶାସନ କହିଛି । ଚୀନ୍ରେ ଶ୍ରମ ମୂଲ୍ୟ ବୃଦ୍ଧି ଭଳି ଆପଲ୍ ଏବଂ ଅନ୍ୟ କମ୍ପାନୀଗୁଡିକ ବିକଳ୍ପ ଉତ୍ପାଦନ ହବ୍ ଖୋଜିବା ପାଇଁ ଉତ୍ସାହିତ ଅଛନ୍ତି ବୋଲି ଏଥିରୁ ଜଣାପଡ଼ିଛି ।
ତେବେ ଗତ ବର୍ଷ ଏ ନେଇ ଆପଲ୍ କମ୍ପାନୀ ଚୀନ୍ରୁ ତାର ବ୍ୟବସାୟ ଅପସାରଣ କରିବ ବୋଲି କହିଥିଲା । ମ୍ୟାକ୍ବୁକ୍ ଏବଂ ଆଇ-ପ୍ୟାଡ୍ର ଉତ୍ପାଦନ ୟୁନିଟ୍କୁ ବଢ଼ାଇବା ପାଇଁ ଭିଏତ୍ନାମରେ ହବ୍ ସ୍ଥାପନ କରାଯିବ ବୋଲି ପୂର୍ବରୁ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା ।