ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୦୧/୨୦୨୧ : ଭାରତୀୟ ରେଳବାଇ ଟ୍ରେନରେ ପୁଣି ଇ-କ୍ୟାଟରିଂ ସେବା ଆରମ୍ଭ କରିଛି । କିନ୍ତୁ କ୍ୟାଟରିଂ ସେବା ବର୍ତ୍ତମାନ ଅଳ୍ପ କିଛି ଷ୍ଟେସନରେ ହିଁ ଆରମ୍ଭ ହେବ । ଯେଉଁ ଷ୍ଟେସନମାନଙ୍କରେ ଇ-କ୍ୟାଟରିଂ ସେବା ଦିଆଯିବ ସେଠାରେ କେନ୍ଦ୍ର ଓ ସମ୍ବନ୍ଧୀୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରାଯିବ । ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଗାଇଡଲାଇନକୁ ଦୃଷ୍ଟିରେ ରଖି ଟ୍ରେନରେ କ୍ୟାଟରିଂ ବ୍ୟବସ୍ଥା, ଏସି କୋଚରେ କମ୍ବଳ, ତକିଆ, ଚାଦର ଆଦି ସେବା ବନ୍ଦ କରିଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ଟ୍ରେନରେ ଇ-କ୍ୟାଟରିଂ ସେବା ପୁଣିଥରେ ଆରମ୍ଭ କରିବାକୁ ଅନୁମତି ଦେଇଛି ।
I.R.C.T.C କିଛି ବଛା ରେଳ ଷ୍ଟେସନରେ ଇ-କ୍ୟାଟରିଂ ସେବା ଆରମ୍ଭ କରିବାକୁ ରେଳ ମନ୍ତ୍ରଣାଳୟର ଅନୁମତି ମାଗିଥିଲା ଯାହାକୁ ରେଳ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଛି । I.R.C.T.C ୨୦୨୧ ଜାନୁଆରୀ ଶେଷ ସପ୍ତାହରୁ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହୋଇଛି । ଭାରତୀୟ ରେଳବାଇ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି । ରେଳବାଇ ଟ୍ୱିଟ କରିଛି ଯେ ମନୋନୀତ ରେଳ ଷ୍ଟେସନରେ ଇ-କ୍ୟାଟରିଂ ସେବା ପୁନଃ ଆରମ୍ଭ କରିବାକୁ ଅନୁମତି ମିଳିଛି ।