ଦେଶ

‘ଗାଁକୁ କରୋନାରୁ ଦୂରେଇ ରଖିବାକୁ ହେବ’

ନୂଆଦିଲ୍ଲୀ: ଗାଁକୁ କରୋନାରୁ ଦୂରେଇ ରଖିବାକୁ ହେବ। ଲକଡାଉନ୍ ଢ଼ିଲା ହେବା ପରେ ଆମ ସମସ୍ତଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ରହିବ। ଏଥିପାଇଁ ଆମକୁ ସଠିକ୍ ଭାବରେ ପଦକ୍ଷେପ ନେବାକୁ ପଡ଼ିବ। ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରୋନା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ଏଭଳି କହିଛନ୍ତି।

କରୋନାକୁ ମୁକାବିଲା କରିବା ପାଇଁ ‘ଦୁଇ ଗଜ ଦୂରତା’ ମନ୍ତ୍ରକୁ ବୈଠକରେ ପୁଣି ଦୋହରାଇଛନ୍ତି ମୋଦି। କରୋନା ଲଢ଼େଇରେ ଏହା ମୁଖ୍ୟ ଅସ୍ତ୍ର ବୋଲି ସେ କହିଛନ୍ତି। କରୋନା ଲଢ଼େଇ ପାଇଁ ସାରା ବିଶ୍ୱ ଭାରତର ପ୍ରଶଂସା କରୁଛି। ଏଥିପାଇଁ ରାଜ୍ୟ ସରକାରମାନେ ମଧ୍ୟ ପ୍ରଶଂସାଯୋଗ୍ୟ। ଆଗକୁ ଏହି ଜୋଶରେ ମିଳିମିଶି କାମ କରିବା ଦରକାର ବୋଲି ସେ କହିଛନ୍ତି।

କେଉଁ ରାଜ୍ୟ ଓ କେଉଁ ଜିଲ୍ଲାକୁ କରୋନା ସଂକ୍ରମିତ ହୋଇଛି ଜଣା ପଡ଼ିଯାଇଛି। ଦେଶର ଅନେକ ସ୍ଥାନରେ ଧୀରେ ଧୀରେ ଲକଡାଉନ୍ ନିୟମ କୋହଳ କରାଯାଉଛି। ଏହାଦ୍ୱାରା ଅର୍ଥନୀତିକ କାର୍ଯ୍ୟକଳାପ ସ୍ୱାଭାବିକ ଆଡ଼ୁକୁ ଅଗ୍ରସର ହେଉଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ କରୋନା ଲଢ଼େଇକୁ ଆହୁରି ଫୋକସ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ତଥାପି ଲୋକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। କରୋନା ଲଢ଼େଇ ପାଇଁ ସମସ୍ତଙ୍କୁ ନିଜ ନିଜ ସ୍ଥାନରେ ରହିବାକୁ କୁହାଯାଇଥିଲା। ହେଲେ ଲୋକମାନେ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହା “ମାନବ ପ୍ରବୃତି”। ତେଣୁ ସରକାର ନିଷ୍ପତ୍ତି ବଦଳାଇଛନ୍ତି ବୋଲି ମୋଦି କହିଛନ୍ତି। ତେଣୁ ୧୨ ତାରିଖରୁ କିଛି ଟ୍ରେନ୍ ଚଳାଇବା ପାଇଁ ସରକାର ସ୍ଥିର କରିଛନ୍ତି ବୋଲି ସେ କହିଛନ୍ତି।

ତୃତୀୟ ପର୍ଯ୍ୟାୟ ଲକଡ଼ାଉନ୍ ଅବଧି ଶେଷ ହେବା ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ପଞ୍ଚମ ଥର ପାଇଁ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୩ଟାରେ ଏହି ବୈଠକ ହୋଇଥିଲା। ଏହି ବୈଠକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ଶାସନ ସଚିବମାନଙ୍କୁ ଯୋଗଦେବାକୁ କୁହାଯାଇଥିଲା।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। ଗତ ୨୪ ଘଣ୍ଚା ମଧ୍ୟରେ ୪୨୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ତିନି ହଜାରରୁ ଅଧିକ ରହୁଥିବା ବେଳେ ସୋମବାର ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଛୁଇଁଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭, ୧୫୨ ଛୁଇଁଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଏଯାବତ

୪୪୦୨୯ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୧୫୫୯ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ଆରୋଗ୍ୟ ହାର ୨୯ ପ୍ରତିଶତରୁ ୩୧.୧୫% ହୋଇଛି। ମୋଟ୍ ୨୦,୯୧୭ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି।

[ad_2]
Show More
Back to top button