

ସତ୍ୟଶିଖା( ଭୁବନେଶ୍ୱର)୨୦.୦୮ . ୨୦୨୨: ପାଣି ଖସିବା ପରେ ଜଳବାହିତ ରୋଗ ଜନିତ ସମସ୍ୟା ସୃଷ୍ଟି ହୋଇପାରେ । ହଇଜା ବା ଡାଇରିଆ, ଜଣ୍ଡିସ, ଟାଇଫଏଡ଼ ଭଳି ରୋଗ ବ୍ୟାପି ପାରେ । ତେଣୁ ବନ୍ୟା ଅଞ୍ଚଳ ଗୁଡ଼ିକରେ ପାଣି ଖସିବା ପରେ ସମସ୍ତ ଜଳ ଉତ୍ସ ବା ଟ୍ୟୁବ୍ ୱେଲ୍ ଓ କୂଅ ଗୁଡିକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣିରେ ହାଲୋଜେନ ବଟିକା ପକାଇ ପିଇବା, ପାଣି ଫୁଟାଇ ପିଇବା, ସ୍ୱଚ୍ଛ ପାନୀୟ ଜଳ ପିଇବା, ସାବୁନରେ ହାତ ଧୋଇବା ପାଇଁ ସଚେତନ କରାଯାଉଛି ।
ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକୁ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଯାଇଥିଲା । ସେମାନେ ଯେଉଁ ଅଞ୍ଚଳ ଗୁଡ଼ିକ ବୁଡିବ ସେଠାରେ ଔଷଧ ମହଜୁଦ କରି ରଖିବେ ଏବଂ ଜଳବନ୍ଦୀ ଅଞ୍ଚଳରେ ମେଡ଼ିକାଲ ଟିମ ପ୍ରସ୍ତୁତ ରହିବେ । 14ଟି ଜିଲ୍ଲାରେ ମେଡ଼ିକାଲ ରିଲିଫ ସେଣ୍ଟର କାର୍ଯ୍ୟ କରୁଛି । ଭଦ୍ରକ, ବାଲେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର, ଅନୁଗୁଳ, ପୁରୀ, ଯାଜପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ସେବା ଯୋଗାଇ ଦିଆଯାଉଛି ।
163ଟି ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି । 115ଟି ମୋବାଇଲ ହେଲ୍ଥ ଟିମ୍ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସମୟରେ 3ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି ।
1. ଜ୍ଵର, ଥଣ୍ଡା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପହଞ୍ଚାଇବା ।
2. ଦ୍ବିତୀୟ ଯେଉଁ ମାନଙ୍କୁ ମେଡ଼ିକାଲ ସ୍ଥାନାନ୍ତର ଆବଶ୍ୟକ ସେମାନଙ୍କୁ ମେଡ଼ିକାଲ ନେବା ।
3. ଲୋକଙ୍କୁ ପାଣିରେ ହାଲୋଜେନ ବଟିକା ଯୋଗାଇବା ଏବଂ ସାବୁନରେ ହାତ ଧୁଆ ଏବଂ ଦୂଷିତ ପାଣି ନପିଇବା ବିଷୟରେ ସଚେତନ କରିବା ।
କାରଣ ବର୍ତ୍ତମାନ ଅନେକ ସ୍ଥାନରେ ଶୁଦ୍ଧ ପାନୀୟ ଜଳର ଅଭାବ ରହିଛି । ତେଣୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହାସହ ଗର୍ଭବତୀ ମହିଳାଙ୍କୁ ଜଳବନ୍ଦୀ ଅଞ୍ଚଳରୁ ଉଦ୍ଧାର କରି ମେଡ଼ିକାଲ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ରହିଥିଲା । କୌଣସି ବଡ଼ ଅଘଟଣର ବର୍ତ୍ତମାନ ସୁଦ୍ଧା ସୂଚନା ନାହିଁ । 4ଟି ସାପ କାମୁଡା କେସ ସାମ୍ନାକୁ ଆସିଥିଲା, ହେଲେ ସମସ୍ତେ ସୁସ୍ଥ ଅଛନ୍ତି ।