ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆସନ୍ତାକାଲି ଠାରୁ ଓଡ଼ିଶା, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଭୀଷଣ ବର୍ଷା

ସତ୍ୟଶିଖା(ଭୁବନେଶ୍ୱର ) ୧୧.୦୧.୨୦୨୨ : ଆସନ୍ତାକାଲି ଅର୍ଥାତ ବୁଧବାରଠାରୁ ଓଡ଼ିଶାରେ ଭୀଷଣ ବର୍ଷା ହେବାନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିସହିତ ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମଧ୍ୟ ଭୀଷଣ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାନୁଆରୀ ୧୧ରୁ ୧୩ ପର୍ଯ୍ୟନ୍ତ ଏହି ରାଜ୍ୟଗୁଡିକରେ ଭୀଷଣ ବର୍ଷା ସମ୍ଭାବନା ରହିଛି। ଏଥିସହିତ ଓଡ଼ିଶା, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟରେ ବୁଧବାର ଦିନ କୁଆପଥର ବର୍ଷା ହୋଇପାରେ। ସେହି ସମୟରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ସିକିମ ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ବିକ୍ଷିପ୍ତ ବର୍ଷାର ଅନୁମାନ କରାଯାଇଛି। ପଶ୍ଚିମା-ଝଡ ଦେଶର ଅଭ୍ୟନ୍ତର ଅଞ୍ଚଳକୁ ଗତି କରୁଥିବାରୁ ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ପ୍ରଭୃତି ରାଜ୍ୟରେ ବର୍ଷା ହେବ। ସେଥିପାଇଁ ଜାନୁଆରୀ ୧୧ରୁ ୧୩ ପର୍ଯ୍ୟନ୍ତ ଏହି ସମସ୍ତ ରାଜ୍ୟ ପାଇଁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶାରେ ୧୨ ଓ ୧୩ ତାରିଖରେ ଅଧିକ ବର୍ଷାର ଅନୁମାନ କରାଯାଇଛି। ସେହିଭଳି ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ଆଦି ରାଜ୍ୟରେ ୧୨ ଓ ୧୩ ତାରିଖରେ ବର୍ଷା ହୋଇପାରେ। ଏଥିସହିତ ରାଜସ୍ଥାନରେ ୧୧ରୁ ୧୪ ତାରିଖ ଏବଂ ପଞ୍ଜାବ ଓ ହରିଆଣାରେ ୧୩ ଓ ୧୪ ତାରିଖରେ ଶୀତଲହରି ଜାରି ରହିବ।

Show More
Back to top button