ଅଧ୍ୟାପିକାଙ୍କ ୱାଶିଂମେସିନ୍ ବିକ୍ରି, ୧୯ ହଜାର ଲୁଟିନେଲେ ସାଇବର ଠକ

ସତ୍ୟଶିଖା (ଭୁବନେଶ୍ୱର) ୧୧/୦୨/୨୦୨୧ : ଅନଲାଇନରେ ୱାଶିଂମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା । ୧୯ ହଜାର ଟଙ୍କା ଲୁଟିନେଲେ ସାଇବର ଠକ । ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ୱାଶିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ । ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଏହାକୁ କିଣିବା ବାହାନାରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି । ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଲୁଟି ନେଇଥିବା ନେଇ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ ସେ ସାଇବର୍ ହେଲ୍ପ ଡେସ୍କରେ ମଧ୍ୟ ଜଣାଇଛନ୍ତି । ତେବେ ଅଧ୍ୟାପିକାଙ୍କ ଅଭିଯୋଗ ପରେ ପୁଲିସ ଖୋଳତାଡ ଆରମ୍ଭ କରିଛି ।

ସୂଚନା ଅନୁସାରେ ଗତ ସପ୍ତାହରେ ଅଧ୍ୟାପିକା ଜଣକ ଓଏଲଏକ୍ସରେ ୱାଶିଂ ମେସିନ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଥିଲେ । ଆଉ ତା’ ପରଠାରୁ ୱାଶିଂମେସିନ କିଣିବା ପାଇଁ ଅନେକ ବ୍ୟକ୍ତି କଲ୍ କରୁଥିଲେ । ତେବେ ମଙ୍ଗଳବାର ଜଣେ ବ୍ୟକ୍ତି କଲ୍ କରି ହିନ୍ଦୀରେ କଥା ହୋଇ ୱାଶିଂମେସିନ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଷ୍ଟେସନ ପାଖ ମମତା ଫର୍ଣ୍ଣିଚରରୁ କହୁଛି, କହି ଅଧ୍ୟାପିକାଙ୍କ ବିଶ୍ୱାସ ଜିତିଥିଲା । ଆଉ ତା’ପରେ ଲୋକପଠାଇ ୱାଶିଂମେସିନ୍ ନେବ ବୋଲି କହିଥିଲା ।

ତେବେ ଏଥିପାଇଁ ସେ ନିଜେ ଆସିପାରିବନାହିଁ, ଅନଲାଇନ୍ ପେମେଣ୍ଟ କରିବ ବୋଲି ଅଧ୍ୟାପିକାଙ୍କୁ କହିଥିଲା । ଆଉ ତା’ପରେ ପ୍ରଥମେ ୫ ଟଙ୍କା ପଠାଇ ମହିଳାଙ୍କୁ ଗୁଗୁଲ ପେ ନମ୍ବର ମାଗିଥିଲା । ନମ୍ବର ନେଇ ଏକ ସ୍କାନ୍ କୋଡ଼୍ ପଠାଇଥିଲା ସାଇବର ଠକ। ନୂଆ ପେମେଣ୍ଟ ମୋଡ଼ର ବାହାନା କରି ଅଧ୍ୟାପିକାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା । ଆଉ ଏଥିରେ ସଫଳ ହେବା ପରେ ଟଙ୍କା ପଠାଇବ କହିଲା ଦୁର୍ବୃତ୍ତ । ତେବେ ଟଙ୍କା ଥିବା ଆକାଉଣ୍ଟକୁ ହିଁ ଟଙ୍କା ପଠାଇ ହେବ ବୋଲି ବ୍ୟକ୍ତିଜଣକ କହିଥିଲା । ଆଉ ଏଥିପାଇଁ ନିଜ ସ୍ୱାମୀଙ୍କ ଆକାଉଣ୍ଟରୁ ଦୁଇ ଦୁଇ ଥର ୯୫୦୦ ଲେଖାଏଁ ଟଙ୍କା ଆଣିଥିଲେ । ତେବେ ଆକାଉଣ୍ଟକୁ ଟଙ୍କା ଆସୁ ଆସୁ ଥରଥର କରି ଦୁଇ ଥରରେ ସବୁ ଟଙ୍କା କଟିଗଲା । ଫଳରେ ଅଧ୍ୟାପିକାଙ୍କ ଚେତା ପଶିଲା । ସେତେବେଳକୁ ଆକାଉଣ୍ଟ ଖାଲି ହୋଇସାରିଥିଲା । ଆଉ ତା’ପରେ ସେ ଠକେଇର ଶିକାର ହୋଇଥିବା ଜାଣି ରେଶମା ତୁରନ୍ତ ପୋଲିସରେ ଅଭିଯୋଗ କରିଥିଲେ ।

Exit mobile version