
ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୯/୨୦୨୦ : ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗତକାଲି ମୃତ୍ୟୁ ହେବା ପରେ ତାକୁ ନେଇ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘର ଲୋକଙ୍କ ଅନୁମତି ନ ନେଇ ପୋଲିସ୍ ଉପସ୍ଥିତିରେ ହିଁ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଏହି ମାମଲାକୁ ନେଇ ଏବେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା । କେବଳ ଏତିକି ନୁହେଁ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲୋକମାନେ ପ୍ରଶାସନ ଉପରେ କ୍ରୋଧ ବ୍ୟକ୍ତ କରୁଛନ୍ତି ।
ପ୍ରିୟଙ୍କା ଗାନ୍ଧି ତାଙ୍କ ଟ୍ବିଟରେ ଲେଖିଛନ୍ତି ‘‘ରାତି ୨.୩୦ରେ ପୀଡ଼ିତାଙ୍କ ପରିବାର ଲୋକ ବିକଳ ହୋଇ କାନ୍ଦୁଥିଲେ, କିନ୍ତୁ ଉତ୍ତରପ୍ରଦେଶ ପ୍ରଶାସନ ଜବରଦସ୍ତି ତାଙ୍କ ମୃତ ଦେହ ଜାଳିଦେଲା । ଯେତେବେଳେ ସେ ଜୀବିତ ଥିଲେ ସେତେବେଳେ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ । ତାଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ଯୋଗାଇ ପାରିଲେ ନାହିଁ । ପୀଡ଼ିତାଙ୍କ ମୃତ୍ୟୁ ପରେ ସରକାର ଘର ଲୋକଙ୍କଠାରୁ ଝିଅର ଅନ୍ତିମ ସଂସ୍କାର ଅଧିକାର ଛଡ଼ାଇ ନେଲେ ଓ ମୃତକଙ୍କୁ ସମ୍ମାନ ମଧ୍ୟ ଦେଲେ ନାହିଁ । ଅତ୍ୟନ୍ତ ଅମାନବୀୟ। ଆପଣ ଅପରାଧ ରୋକି ନାହାନ୍ତି ବରଂ ଅପରାଧୀଙ୍କ ଭଳି ବ୍ୟବହାର କରିଛନ୍ତି । ଅତ୍ୟାଚାର ନ ରୋକି ନୀରିହ କୋମଳ ଝିଅ ଓ ତାର ପରିବାର ଉପରେ ଦ୍ବିଗୁଣା ଅତ୍ୟାଚାର କରିଛନ୍ତି । ଯୋଗୀ ଆଦିତ୍ୟନାଥ ଇସ୍ତଫା ଦିଅନ୍ତୁ । ଆପଣଙ୍କ ଶାସନରେ ନ୍ୟାୟ ନୁହେଁ, କେବଳ ଅନ୍ୟାୟ ହିଁ ଚାଲେ ।’’
ଏହା ପୂର୍ବରୁ ପୀଡ଼ିତାଙ୍କ ମୃତ୍ୟୁ ଖବର ଜାଣିବା ପରେ ପ୍ରିୟଙ୍କା କହିଥିଲେ ୟୁପିରେ ଆଇନ ବ୍ୟବସ୍ଥା ଆବଶ୍ୟକତାଠୁ ଅଧିକ ବିଗିଡି ଗଲାଣି । ମହିଳାଙ୍କ ସୁରକ୍ଷାଙ୍କ କୌଣସି ବ୍ୟବସ୍ଥା ନାହିଁ । ଅପରାଧି ଖୋଲା ଖୋଲି ଅପରାଧ କରିଚାଲିଛନ୍ତି । ଏହି ଝିଅର ଅପରାଧୀଙ୍କୁ କଠିନ ଦଣ୍ଡ ମିଳିବା ଦରକାର । ଯୋଗୀ ଆଦିତ୍ୟନାଥ ସରକାର ଉତ୍ତର ପ୍ରଦେଶ ମହିଳାଙ୍କ ସୁରକ୍ଷା ପ୍ରତି ଉତ୍ତରଦାୟୀ ।
ଏହି ମାମଲାରେ ଉତ୍ତର ପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର କହିଥିଲେ ଖୁବ ଶୀଘ୍ର ମାମଲା ଉପରେ ଚାର୍ଜସିଟ୍ ଲଗାଯିବ ଓ ଚେଷ୍ଟା କରାଯିବ ମାମଲାକୁ ଫାଷ୍ଟ ଟ୍ରାକରେ ପହଞ୍ଚାଇବାକୁ । ଏହା ସହ ଦୋଷୀକୁ କଠିନରୁ କଠିନ ଦଣ୍ଡ ଦେବାକୁ । ତେବେ ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।






