ଦେଶନ୍ୟୁଜ୍ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ: ସାଢ଼େ ୭ ଲକ୍ଷ ପଞ୍ଜିକୃତ ଅଯୋଗ୍ୟଙ୍କୁ ବାଦ ଦେଇଛି ଓଡ଼ିଶା

ସତ୍ୟଶିଖା(ଭୁବନେଶ୍ୱର ) ୦୩.୦୨.୨୦୨୨ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ କେନ୍ଦ୍ର ସରକାର ପାତରଅନ୍ତର କରୁଛନ୍ତି ଓ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ନେଇ ଆବାସପ୍ଲସ୍ ୱିଣ୍ଡୋକୁ ଉନ୍ମୁକ୍ତ କରୁନାହାନ୍ତି ବୋଲି ରାଜ୍ୟର ଶାସକ ବିଜେଡି ଅଭିଯୋଗ କରୁଥିବାବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଓଡ଼ିଶାର ମାତ୍ର ୩୯୧୮୦ଜଣ ଯୋଗ୍ୟ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ ଥିବା କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ସ୍ପଷ୍ଟ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜିକୃତ ହୋଇଥିବା ୭.୪୬ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଓଡ଼ିଶା ସରକାର ପରବର୍ତ୍ତୀ ସମୟରେ ବାଦ୍ ଦେଇଥିବା ରାଜ୍ୟ ପଂଚାୟତିରାଜ ସଚିବ ସ୍ୱୀକାର କରିଛନ୍ତି।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲକୁ ନେଇ ଗତ କିଛିଦିନ ଧରି ଶାସକ ବିଜେଡି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଥିବାବେଳେ କେନ୍ଦ୍ର ସରକାର ଆବାସପ୍ଲସ୍ ୱିଣ୍ଡୋ ଖୋଲି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ନିମନ୍ତେ କର୍ଣ୍ଣାଟକ ସରକାରଙ୍କୁ ଅନୁମତି ଦେଇଥିଲେ । ଯାହାକୁ ନେଇ ଓଡ଼ିଶା ସରକାର ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ୩୧ତାରିଖରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖି ଓଡ଼ିଶାର ଯୋଗ୍ୟ ୬.୬୫ଲକ୍ଷ ହିତାଧିକାରୀଙ୍କୁ ପଞ୍ଜିକୃତ ଓ ଫନି କ୍ଷତିଗ୍ରସ୍ତ ୧.୮୪ଲକ୍ଷ ହିତାଧିକାରୀଙ୍କୁ ଆବାସ ପ୍ଲସରେ ପଞ୍ଜିକରଣ କରିବା ପାଇଁ ଅନୁରୋଧ କରିଥିଲେ ।

ତେବେ ଆଜି କେନ୍ଦ୍ର ଗ୍ରୀମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୧୧ ଏସଇସିସିରେ ଓଡ଼ିଶାର ମୋଟ ୪୧ଲକ୍ଷ ୭୨ହଜାର ୭୨୦ଟି ପରିବାର ତାଲିକାଭୁକ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ଲକ୍ଷ ୭୫ହଜାର ୬୩୧ଟି ହିତାଧିକାରୀ ପରିବାରକୁ ୨୦୨୧ ଡିସେମ୍ବର ୧୬ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର ପାଇବାକୁ ରାଜ୍ୟ ସରକାର ଯୋଗ୍ୟ ବିବେଚିତ କରାଇଥିଲେ । ତେବେ ଏଥିରୁ ୧୬ଲକ୍ଷ ୭୫ହଜାର ୭୪୯ଟି ପରିବାର ଇତିମଧ୍ୟରେ ନିଜର ଘର ନିର୍ମାଣ ଶେଷ କରିଥିବାବେଳେ ୧ଲକ୍ଷ ୯୯ହଜାର ୮୮୨ଜଣ ହିତାଧିକାରୀ ନିଜର ଘର ନିର୍ମାଣ ଜାରି ରଖିଛନ୍ତି । ବାକି ୩୯୧୮୦ଜଣ ହିତାଧିକାରୀଙ୍କୁ ଘର ଯୋଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇନାହାନ୍ତି ।

Show More
Back to top button