ଦେଶନ୍ୟୁଜ୍ବିଦେଶମନୋରଞ୍ଜନସିନେମା

ଆଇଫା ପୁରସ୍କାର- ୨୦୨୨: ଶ୍ରେଷ୍ଠ ଚଳଚ୍ଚିତ୍ର ‘ଶେରଶାହ’

ସତ୍ୟଶିଖା( ମୁମ୍ବାଇ  )୦୬.୦୬. ୨୦୨୨ : ଇଣ୍ଟରନ୍ୟାସନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଫା) ପୁରସ୍କାରର ୨୨ ତମ ସଂସ୍କରଣ ଆବୁଧାବିରେ ଅନୁଷ୍ଠିତ ହୋଇଛି । ଏ ବର୍ଷ ଆଇଫାରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି କ୍ୟାପ୍‌ଟେନ୍‌ ବିକ୍ରମ ବାତ୍ରାଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ‘ଶେରଶାହ’ । ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ହାସଲ କରିଛନ୍ତି କ୍ରିତି ସାନନ୍‌ । ଭିକି କୌଶଲ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ।

ଆଇଫା ପୁରସ୍କାର-୨୦୨୨ରେ ଏଥର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ‘ଶେରଶାହ’ର ଧୁମ୍‌ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ସବୁଠୁ ଅଧିକ ପୁରସ୍କାର ହାତେଇବାରେ ସଫଳ ହୋଇଛି । ‘ଶେରଶାହ’କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ମିଳିଥିବାବେଳେ ବିଷ୍ଣୁ ବର୍ଦ୍ଧନ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଛନ୍ତି । ଫିଲ୍ମର ‘ରାତା ଲମ୍ବିୟାଁ’ ଗୀତ ପାଇଁ ଜୁବିନ୍‌ ନଟିୟାଲ୍‌ଙ୍କୁ ପୁରୁଷ ଓ ଅସୀସ କୌରଙ୍କୁ ମହିଳାଙ୍କ ବର୍ଗରେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ପୁରସ୍କାର ମିଳିଛି ।

ସେହିପରି ତନିଷ୍କ ବାଗ୍‌ଚୀ, ଜସଲିନ୍‌, ଜାଭେଦ୍‌ ମୋହସିନ୍‌, ବିକ୍ରମ ମଣ୍ଟରୁଷ, ବି ପ୍ରାକ୍‌ ଓ ଜାନି ଏହି ଫିଲ୍ମ ଲାଗି ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି । ସେମାନଙ୍କ ସହ ଏ ଆର ରହମାନ୍‌ (ଅତରଙ୍ଗୀ ରେ ପାଇଁ) ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ହାତେଇଛନ୍ତି । ପଙ୍କଜ ତ୍ରିପାଠୀ ‘ଲୁଡୋ’ ପାଇଁ ଶ୍ରେଷ୍ଠ ସହ ଅଭିନେତା ଟାଇଟଲ ଜିତିଛନ୍ତି । ‘ମିମି’ ଫିଲ୍ମରେ ଉଲ୍ଲେଖନୀୟ ଅଭିନୟ ଲାଗି ସାଇ ତାମ୍‌ହନକରଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ମିଳିଛି । ଆହନ୍‌ ସେଟ୍ଟି ଶ୍ରେଷ୍ଠ ନବାଗତ(ତଡପ୍‌) ଓ ଶରବରୀ ୱାଘ୍‌(ବଣ୍ଟି ଔର ବବ୍‌ଲି-୨) ଶ୍ରେଷ୍ଠ ନବାଗତା ଟାଇଟଲ ହାସଲ କରିଛନ୍ତି । ଅନୁରାଗ ବାସୁ ଶ୍ରେଷ୍ଠ କାହାଣୀ(ମୌଳିକ) ପୁରସ୍କାର ପାଇଛନ୍ତି ।

ଫିଲ୍ମ ‘ଲୁଡୋ’ ଲାଗି ତାଙ୍କୁ ଏହି ପୁରସ୍କାର ମିଳିଛି । କବିର ଖାନ୍‌ ଓ ସଞ୍ଜୟ ପୁରଣ ସିଂହଙ୍କୁ ‘୮୩’ ଲାଗି ଶ୍ରେଷ୍ଠ କାହାଣୀ(ଆଡପ୍ଟେଡ୍‌) ପୁରସ୍କାର ମିଳିଛି । ଏହି ଉତ୍ସବରେ ସଲମାନ୍‌ ଖାନ୍‌, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, ନୋରା ଫତେହି, ଟାଇଗର ଶ୍ରଫ୍‌ଙ୍କ ପରି ସେଲିବ୍ରିଟିମାନେ ଯୋଗ ଦେଇଥିଲେ । ଅଭିଷେକ ବଚ୍ଚନ, ସାରା ଅଲ୍ଲୀ ଖାନ୍‌, ଅନନ୍ୟା ପାଣ୍ଡେ ପ୍ରମୁଖ ନିଜର ପ୍ରଦର୍ଶନରେ ସମସ୍ତଙ୍କୁ ମୁଗ୍ଧ କରିଥିଲେ ।

Show More
Back to top button