ଆଜି ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସତ୍ୟଶିଖା(ଭୁବନେଶ୍ୱର )୨୨.୧୧.୨୦୨୨:  ରୋଜଗାର ମେଳା ଯୋଜନା ମାଧ୍ୟମରେ ମଙ୍ଗଳବାର (ଆଜି) ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଭାସି ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୁବପିଢ଼ିଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରୋଜଗାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିବା ବେଳେ ଏହାର ପାଳନ ପୂର୍ବକ ଏହି ରୋଜଗାର ମେଳାର ଆୟୋଜନ କରାଯାଉଛି। ଏହାଦ୍ବାରା ଯୁବପିଢ଼ି ଚାକିରି ପାଇ ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଆଶା ରହିଛି। ଗତ ଅକ୍ଟୋବର ରୋଜଗାର ମେଳା ଯୋଜନା ମାଧ୍ୟମରେ ମୋଦୀ ୭୫ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଆଭାସି ମାଧ୍ୟମରେ ମଙ୍ଗଳବାର ନିଯୁକ୍ତି ପତ୍ର ପ୍ରଦାନ କରିବାକୁ ଥିବା ବେଳେ ଲିଖିତ ନିଯୁକ୍ତି ପତ୍ର ଦେଶର ୪୫ଟି ସ୍ଥାନରେ ଯୁବପିଢ଼ିଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଶିକ୍ଷକ, ଅଧ୍ୟାପକ, ସେବିକା, ଡାକ୍ତର, ଫାର୍ମାସିଷ୍ଟ ସହ ଅନ୍ୟାନ୍ୟ ପଦରେ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କର୍ମଯୋଗୀ ପ୍ରାରମ୍ଭ ଯୋଜନା ଆରମ୍ଭ କରିବେ। ଏହି ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗରେ ଚାକିରି ପାଇଥିବା ଯୁବପିଢ଼ିଙ୍କୁ ଆଭାସି ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶିକ୍ଷଣ ଦିଆଯିବ। ଏହାଫଳରେ ସେମାନଙ୍କ ଜ୍ଞାନ, ଦକ୍ଷତା ଓ କୁଶଳତା ବଢ଼ିବ ବୋଲି ଆଶା କରାଯାଉଛି।

Exit mobile version