ସତ୍ୟଶିଖା ୧୯ .୦୯.୨୦୨୦ : ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି । ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗି ଥିବା ବେଳେ ଏପଟେ ରାଜ୍ୟ ଭିତରେ ଚାଷ ହେଉଥିବା ପନିପରିବା ଦର ଉପରେ ଭରସା ନାହିଁ । ବନ୍ୟା ଯୋଗୁଁ ରାଜ୍ୟ ଭିତରୁ ବିଭିନ୍ନ ଜିଲ୍ଲାରୁ ଏବେ ଠିକ୍ ଭାବେ ପରିବା ଆସୁ ନାହିଁ । କରୋନା ଯୋଗୁଁ ରୋଜଗାର ହ୍ରାସ ପାଇଥିବା ବେଳେ ଏଭଳି ସ୍ଥିତିରେ ଏବେ ଗ୍ରାହକ ମୁଣ୍ଡରେ ହାତ ଦେଲେଣି । ଏପ୍ରିଲ୍ ମାସରେ ଆଳୁ, ପିଆଜ, ଟମାଟୋ ଦର ଯାହା ଥିଲା ଏବେ ପାଖାପାଖି ଦୁଇ ଗୁଣରୁ ଅଧିକ ହେଲାଣି ।
ରାଜଧାନୀରେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଆଳୁ କିଲୋ ଅତି ବେଶିରେ ୨୦ ଟଙ୍କା ଥିଲା ଓ ପିଆଜ ୧୫ ଟଙ୍କାରେ ମିଳୁଥିଲା । କିନ୍ତୁ ଏବେ ଆଳୁ ଓ ପିଆଜ ଉଭୟର ଦର ୩୫ ଟଙ୍କାରେ ପହଞ୍ଚିଯାଇଛି । ସେହିଭଳି ପରିବା ଦର ମଧ୍ୟ ବେଶ୍ ଶସ୍ତା ଥିଲା । ବାଇଗଣ କିଲୋ ୧୫/୨୦ ଟଙ୍କାରେ ମିଳୁଥିବାବେଳେ ଭେଣ୍ଡି, ଜହ୍ନି ଭଳି ପରିବା ଦର କିଲୋ ପିଛା ୨୦ ଟଙ୍କା ତଳକୁ ଥିଲା । ଏମିତିକି ବଜାରରେ ଦେଶୀ ପୋଟଳ ମଧ୍ୟ କିଲୋ ୩୦/୪୦ ଟଙ୍କାରେ ମିଳୁଥିଲା । ମାତ୍ର ଅଗଷ୍ଟ ଶେଷ ସପ୍ତାହରେ ପ୍ରବଳ ବର୍ଷା ଓ ସେପ୍ଟେମ୍ବର ମାସରେ ବନ୍ୟା ଉପକୂଳ ଓଡ଼ିଶାରେ ପରିବା ଚାଷକୁ ଖିନ୍ଭିନ୍ କଲା । ଫଳରେ ବିଲ ବାଡ଼ିରେ ପରିବା ଚାଷ ପଚିସଢ଼ି ନଷ୍ଟ ହୋଇଗଲା ଓ ଏଥିପାଇଁ ପରିବା ଦର ହଠାତ୍ ଆକାଶଛୁଆଁ ହେଲା । ଏବେ ବଜାରରେ ପୋଟଳ ୯୦ ଟଙ୍କା, ଟମାଟ ୮୦ ଟଙ୍କା ବିନ୍ସ ୧୦୦ ଟଙ୍କା, କାଙ୍କଡ଼ ୫୦/୬୦ ଟଙ୍କା, ଭେଣ୍ଡି ଓ ଜହ୍ନି ୫୦ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ବାଇଗଣ ଦର ଗତ ଦୁଇ ଦିନ ହେଲା ସାମାନ୍ୟ ହ୍ରାସ ପାଇଛି ଓ କିଲୋ ପିଛା ୩୦/୪୦ ଟଙ୍କା ହୋଇଛି ।