ଦର ବଢ଼ିଲାଣି ଦୁଇ ଗୁଣରୁ ଅଧିକ, ଆଳୁ, ପିଆଜ, ଟମାଟୋ ଦର ଆକାଶଛୁଆଁ l

ସତ୍ୟଶିଖା ୧୯ .୦୯.୨୦୨୦ : ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି । ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗି ଥିବା ବେଳେ ଏପଟେ ରାଜ୍ୟ ଭିତରେ ଚାଷ ହେଉଥିବା ପନିପରିବା ଦର ଉପରେ ଭରସା ନାହିଁ । ବନ୍ୟା ଯୋଗୁଁ ରାଜ୍ୟ ଭିତରୁ ବିଭିନ୍ନ ଜିଲ୍ଲାରୁ ଏବେ ଠିକ୍ ଭାବେ ପରିବା ଆସୁ ନାହିଁ । କରୋନା ଯୋଗୁଁ ରୋଜଗାର ହ୍ରାସ ପାଇଥିବା ବେଳେ ଏଭଳି ସ୍ଥିତିରେ ଏବେ ଗ୍ରାହକ ମୁଣ୍ଡରେ ହାତ ଦେଲେଣି । ଏପ୍ରିଲ୍ ମାସରେ ଆଳୁ, ପିଆଜ, ଟମାଟୋ ଦର ଯାହା ଥିଲା ଏବେ ପାଖାପାଖି ଦୁଇ ଗୁଣରୁ ଅଧିକ ହେଲାଣି ।ଆଳୁ ଆସୁଛି ପଶ୍ଚିମବଙ୍ଗରୁ । ପିଆଜ ମହାରାଷ୍ଟ୍ରର ନାସିକ, ଆନ୍ଧ୍ରପ୍ରଦେଶ ଓ ବେଙ୍ଗାଲୁରରୁ ଆସୁଛି । କଟକ ଖୁଚୁରା ବଜାରରେ ଆଳୁ ଦର ୩ କିଲୋକୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ପଶ୍ଚିମବଙ୍ଗରେ ଆଳୁ ଯଥେଷ୍ଟ ମହଜୁଦ ଅଛି । କିନ୍ତୁ ନୂଆ ଆଳୁ ବଜାରକୁ ଆସିବା ପର୍ଯ୍ୟନ୍ତ ଆଳୁ ଦର ଏପରି ବଢି କରି ରହିବ ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି । ସେହିପରି ପିଆଜ ଦର ମଧ୍ୟ ବଢିଛି । ଏବେ ପିଆଜ ଖୁଚୁରା ବଜାରରେ ତିନି କିଲୋକୁ ୯୦ରୁ ଶହେ ଟଙ୍କା ରହିଛି । ପନିପରିବା ଦର ମଧ୍ୟ ବଢି ଚାଲିଛି । ପୂର୍ବରୁ ବଜାରରେ ଭେଣ୍ଡି ୧୫/୨୦ ଟଙ୍କାରେ ମିଳୁଥିବା ବେଳେ ଏବେ ଭେଣ୍ଡି କିଲୋ ୪୦ଟଙ୍କାରେ ପହଞ୍ଚିଛି ।
ଝୁଡଙ୍ଗ ଛୁଇଁ ମାସେ ପୂର୍ବରୁ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ କିଲୋ ପ୍ରତି ଛତ୍ରବଜାରରେ ୬୦ ଟଙ୍କା ରହିଛି । ସହରର ଅନ୍ୟ ସ୍ଥାନରେ ଝୁଡଙ୍ଗ ଝୁଇଁ କିଲୋକୁ ୭୦/୮୦ ଟଙ୍କାରେ ବିକ୍ରି ହେଉଛି । ଦେଶୀଆଳୁ ଦର କିଲୋ ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ସାରୁ ଦର ୩୦ରୁ ୪୦ ଟଙ୍କା କିଲୋ ପ୍ରତିରେ ବିକ୍ରି ହେଉଛି । ଦେଶୀ ପୋଟଳ କିଲୋ ପ୍ରତି ଦର ୬୦ରୁ ୭୦ ଟଙ୍କା ରହିଛି । ସେହିପରି ବିନ୍ ଛୁଇଁ କିଲୋ ପ୍ରତି ଦର ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି ।
ରାଜଧାନୀରେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଆଳୁ କିଲୋ ଅତି ବେଶିରେ ୨୦ ଟଙ୍କା ଥିଲା ଓ ପିଆଜ ୧୫ ଟଙ୍କାରେ ମିଳୁଥିଲା । କିନ୍ତୁ ଏବେ ଆଳୁ ଓ ପିଆଜ ଉଭୟର ଦର ୩୫ ଟଙ୍କାରେ ପହଞ୍ଚିଯାଇଛି । ସେହିଭଳି ପରିବା ଦର ମଧ୍ୟ ବେଶ୍ ଶସ୍ତା ଥିଲା । ବାଇଗଣ କିଲୋ ୧୫/୨୦ ଟଙ୍କାରେ ମିଳୁଥିବାବେଳେ ଭେଣ୍ଡି, ଜହ୍ନି ଭଳି ପରିବା ଦର କିଲୋ ପିଛା ୨୦ ଟଙ୍କା ତଳକୁ ଥିଲା । ଏମିତିକି ବଜାରରେ ଦେଶୀ ପୋଟଳ ମଧ୍ୟ କିଲୋ ୩୦/୪୦ ଟଙ୍କାରେ ମିଳୁଥିଲା । ମାତ୍ର ଅଗଷ୍ଟ ଶେଷ ସପ୍ତାହରେ ପ୍ରବଳ ବର୍ଷା ଓ ସେପ୍ଟେମ୍ବର ମାସରେ ବନ୍ୟା ଉପକୂଳ ଓଡ଼ିଶାରେ ପରିବା ଚାଷକୁ ଖିନ୍ଭିନ୍ କଲା । ଫଳରେ ବିଲ ବାଡ଼ିରେ ପରିବା ଚାଷ ପଚିସଢ଼ି ନଷ୍ଟ ହୋଇଗଲା ଓ ଏଥିପାଇଁ ପରିବା ଦର ହଠାତ୍ ଆକାଶଛୁଆଁ ହେଲା । ଏବେ ବଜାରରେ ପୋଟଳ ୯୦ ଟଙ୍କା, ଟମାଟ ୮୦ ଟଙ୍କା ବିନ୍ସ ୧୦୦ ଟଙ୍କା, କାଙ୍କଡ଼ ୫୦/୬୦ ଟଙ୍କା, ଭେଣ୍ଡି ଓ ଜହ୍ନି ୫୦ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ବାଇଗଣ ଦର ଗତ ଦୁଇ ଦିନ ହେଲା ସାମାନ୍ୟ ହ୍ରାସ ପାଇଛି ଓ କିଲୋ ପିଛା ୩୦/୪୦ ଟଙ୍କା ହୋଇଛି ।ଅନ୍ୟପକ୍ଷରେ ଏହି ସମୟରେ ହିଁ ଆଳୁ ଓ ପିଆଜ ଦର ବୃଦ୍ଧି ପାଇଥାଏ ବୋଲି ବ୍ୟବସାୟୀମାନେ କହିଛନ୍ତି । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଆଳୁ କେବଳ ଗୋଦାମରୁ ହିଁ ବଜାରକୁ ଆସିଥାଏ । ଚାଷୀମାନଙ୍କ ପାଖରେ ଆଳୁ ନଥାଏ । ତେଣୁ ପଶ୍ଚିମବଙ୍ଗ ଶୀତଳଭଣ୍ଡାରରେ ମହଜୁଦ୍ ରଖିଥିବା ବ୍ୟବସାୟୀମାନେ ଉଚ୍ଚା ଦରରେ ବଜାରକୁ ଛାଡ଼ନ୍ତି । ଅନୁରୂପଭାବେ ପିଆଜ ଦର ମଧ୍ୟ ବୃଦ୍ଧି ପାଇଛି । ତେଣୁ ରବିଋତୁର ଆଳୁ ଓ ପିଆଜ ଅମଳ ହେବା ପର୍ୟ୍ୟନ୍ତ ଅର୍ଥାତ୍ ଅକ୍ଟୋବର ମାସ ଶେଷ ସପ୍ତାହ ପୂର୍ବରୁ ଏହି ଦୁଇ ସାମଗ୍ରୀର ଦର ହ୍ରାସ ସମ୍ଭାବନା ନାହିଁ ।
ପରିବା ଦର ବୃଦ୍ଧିକୁ ଏବେ ବଳେଇ ଗଲାଣି ଡାଲି ତେଲ ଦର । ହରଡ଼ ଡାଲି ୧୦୦ ଟଙ୍କା ଟପି ଯାଇଥିବାବେଳେ ସୋରିଷ ତେଲ ଲିଟର ୧୪୦ ଟଙ୍କା ରିଫାଇନ୍ ତେଲ ଲିଟର ୧୨୦/୧୨୫ ଟଙ୍କା ହୋଇଗଲାଣି । ବ୍ୟବସାୟୀମାନଙ୍କ ସୂଚନାନୁସାରେ ଏବେ କମ୍ପାନିଗୁଡ଼ିକରେ ଉତ୍ପାଦନ ହ୍ରାସ ଓ ପେଟ୍ରୋଲ, ଡିଜେଲର ବର୍ଦ୍ଧିତ ଦର ପାଇଁ ପରିବହନ ଖର୍ଚ୍ଚ ବଢ଼ୁଥିବାରୁ ଏହି ସବୁ ସାମଗ୍ରୀର ବଜାର ଦର ବଢ଼ୁଛି । ତେବେ ବଜାରର ମାନ୍ଦାବସ୍ଥା ଏଥିପାଇଁ ଅନ୍ୟତମ କାରଣ ବୋଲି ସେମାନେ କହିଛନ୍ତି ।