ନ୍ୟୁଜ୍ରାଜନୀତି

ରାଜ୍ୟସଭାରେ ହଙ୍ଗାମା କରିଥିବା ସାଂସଦଙ୍କ ଉପରେ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ l

ସତ୍ୟଶିଖା ୨୧.୦୯.୨୦୨୦ : ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବା ସାଂସଦ ନିଲମ୍ବିତ । କୃଷି ବିଲ ଚର୍ଚା ସମୟରେ ଅଗଣତାନ୍ତ୍ରିକ ବ୍ୟବହାର କରିଥିବା ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ୮ ଜଣ ବିରୋଧୀ ଦଳ ସାଂସଦଙ୍କୁ ଏକ ସପ୍ତାହ ଯାଏଁ ନିଲମ୍ବିତ ଘୋଷଣା କରିଛନ୍ତି । ଟିଏମସି ସାଂସଦ ଡାରେକ ଓ ବ୍ରାଏନ, ଆପ ସାଂସଦ ସଂଜୟ ସିଂ, ସାଂସଦ ନଜୀର ହୁସେନ, ଡୋଲା ସେନ, ରାଜୀବ ସାଟବ, କେକେ ରାଗେଶ, ରିପୁନ ବୋରା ନିଲମ୍ବିତ ହୋଇଛନ୍ତି । ଏହାକୁ ନେଇ ରାଜ୍ୟସଭାରେ ଆଜି ପ୍ରବଳ ହଟ୍ଟଗୋଳ ହେବାରୁ ଦିନ ୧୦ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।ଗତକାଲି କୃଷି ବିଲ ଚର୍ଚ୍ଚା ସମୟରେ ବିରୋଧୀ ଦଳର ସାଂସଦମାନେ ବିଲକୁ ବିରୋଧ କରି ହଙ୍ଗାମା କରିଥିଲେ । ଏଥିସହ କିଛି ସାଂସଦ ଉପାଧ୍ୟକ୍ଷଙ୍କ ସାମ୍ନାରେ ରୁଲ ବୁକ ଚିରିବା ସହ ମାଇକ ଭଙ୍ଗା ରୁଜା କରିଥିଲେ । ଏହାକୁ ନେଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଗତକାଲିର ଦିନ ରାଜ୍ୟସଭାର ସବୁଠୁ ଖରାପ ଦିନ ଥିଲା । ଗୃହରେ କିଛି ସାଂସଦଙ୍କ ଆଚରଣ ଲଜ୍ଜାଜନକ ଥିଲା । ବିଲକୁ ବିରୋଧ ନାମରେ ବିରୋଧୀ ସାଂସଦ  ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଦୁର୍ବ୍ୟବହାର କରିଛନ୍ତି ।କିଛି ସାଂସଦ ପେପର ଫିଙ୍ଗିଲେ, ରୁଲ ବୁକ ଫିଙ୍ଗିଲେ, ମାଇକ ଭାଙ୍ଗିଲେ, ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଧମକ ଦେଲେ, ଏପରିକି ତାଙ୍କ ଉପରେ ଆପତିଜନକ ଟିପ୍ପଣୀ କରିଥିଲେ ବୋଲି କହିଛନ୍ତି ଭେଙ୍କେୟା ନାଇଡୁ । ସେପଟେ ଗତକାଲି ବିରୋଧୀଙ୍କ ଦାବିକୁ ଅଣଦେଖା କରି ବିଲ ପାରିତ କରାଇଥିବାରୁ ଉପାଧ୍ୟକ୍ଷଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି ।

Show More
Back to top button