

ସତ୍ୟଶିଖା( ପୁରୀ )୦୫.୧୧.୨୦୨୨: ଆସନ୍ତା ୧୦ରେ ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି। ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶାସନିକ ସମସ୍ତ ବିଭାଗର ଅଧିକାରୀ ଓ ପୁଲିସ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ କରାଯାଇ ରାଷ୍ଟ୍ରପତି ଯେପରି ଶୃଙ୍ଖଳିତ ବ୍ୟବସ୍ଥା ଭିତରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବେ ସେନେଇ ଅଲୋଚନା ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକ ପରେ ସେ କହିଛନ୍ତି, ରାଷ୍ଟ୍ରପତି ନିର୍ଦ୍ଧାରିତ ତାରିଖରେ ପୁରୀରେ ପହଞ୍ଚିବା ପରେ ଦିନ ୧୨ଟାରୁ ୧ଟା ଭିତରେ ଶ୍ରୀଜୀଉଙ୍କ ଦର୍ଶନ କରିବେ। ସେ ଗର୍ଭଗୃହକୁ ଯାଇ ଠାକୁରଙ୍କ ପୂଜାର୍ଚ୍ଚନା କରିବେ। ପରେ ମହାପ୍ରସାଦ ସେବନ ବରିବେ। ଏଥିପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ଦିନ ପ୍ରାୟ ସାଢ଼େ ୧୦ଟାରୁ ବନ୍ଦ କରି ଦିଆଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବା ପରେ ସାଧାରଣ ଲୋକେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରକୁ ଯାଇପାରିବେ। ଏହି ଦିନ ନୀତିକୁ ଠିକ୍ ସମୟରେ ସମାପ୍ତ କରିବାକୁ ସେବାୟତଙ୍କ ସହ ଅଲୋଚନା ହୋଇଛି। ସମସ୍ତଙ୍କ ସମନ୍ୱୟରେ ନୀତି ଶୃଙ୍ଖଳିତ ହେବ ବୋଲି ନିଷ୍ପତ୍ତି ହୋଇଛି।






