ସତ୍ୟଶିଖା( ଚୌଦ୍ୱାର ) ୦୧.୦୨.୨୦୨୨ :ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରରେ ଯାଇଥିବା ବେଳେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହଟହଟା ହେବାକୁ ପଡ଼ିଛି। ଚୌଦ୍ୱାର ବାଣୀପଦା ପଞ୍ଚାୟତରେ ତାଙ୍କୁ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି। କଟକ ନିର୍ବାଚନ ମଣ୍ଡଳୀର ୧୧ ନମ୍ୱର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୋତ୍ସ୍ନାରାଣୀ ସୁବୁଦ୍ଧିରାୟଙ୍କ ପାଇଁ ଭୋଟ ହାତେଇବାକୁ ବାଣୀପଦା ପଞ୍ଚାୟତ ଦଳିତ ସାହିରେ ଏକ ସଭା କରାଯାଇଥିଲା। ଏହି ସଭାରେ ପ୍ରଭାତ ବିଶ୍ୱାଳ ଯୋଗ ଦେଇଥିଲେ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ। ହେଲେ ପଞ୍ଚାୟତରେ କୌଣସି ବିକାଶମୂଳକ କାମ ହୋଇନଥିବା ଅଭିଯୋଗ ଆଣିବା ସହ ପ୍ରଭାତଙ୍କୁ ବିରୋଧ କରିଥିଲେ ଲୋକେ। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ସାହିରେ ନାନା ସମସ୍ୟା ଲାଗି ରହିଥିବା ବେଳେ ଲୋକେ ଫନି ବାତ୍ୟା ସହାୟତା ଟଙ୍କା ମଧ୍ୟ ପାଇନଥିବା ଅଭିଯୋଗ କରିଥିଲେ। ସେହିପରି ରାସ୍ତାକାମ ପାଇଁ ଆସିଥିବା ଅର୍ଥ ହରିଲୁଟ୍ କରାଯାଇଛି ବୋଲି କହିଥିଲେ।
ସାହି ପୋଖରୀ ଦଳରେ ଭର୍ତ୍ତି ହୋଇ ନଷ୍ଟ ହେବାକୁ ବସିଥିଲେ ମଧ୍ୟ ତା’ର ପୁନଃଉଦ୍ଧାର ହୋଇପାରି ନାହିଁ। ହରିଶ୍ଚନ୍ଦ୍ର ଯୋଜନାରେ ଆସୁଥିବା ଟଙ୍କା ମଧ୍ୟ ଲୋକଙ୍କୁ ମିଳୁନଥିବା ଅଭିଯୋଗ କରିଛନ୍ତି ଲୋକେ। ପୂର୍ବତନ ବିଧାୟକ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ବାଣୀପଦା ପଞ୍ଚାୟତବାସୀ ସତ୍ୟଭାମା ନାୟକ କହିଛନ୍ତି, ସରକାର ସମସ୍ତଙ୍କୁ ଘର ଦେଉଛନ୍ତି, ଆମକୁ ଘର ଖଣ୍ଡିଏ ମିଳୁନାହିଁ। ଆମେ ଭଙ୍ଗା ଓ ଚାଳଘରେ ପଡ଼ି ରହିଛୁ। ସମସ୍ତେ ଆସି ଏହି ଘରକୁ ଦେଖି ଯାଉଛନ୍ତି, ହେଲେ କିଛି ଅନୁଦାନ ମିଳୁନି। ଫନି ବାତ୍ୟା ସହାୟତା ଟଙ୍କା ଆମକୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ହେଲେ ନିର୍ବାଚନ ସମୟରେ ଆମକୁ ଭୋଟ ଦିଅ ବୋଲି କହୁଛନ୍ତି।