ବଙ୍ଗରେ ଆଳୁ ସଂକଟ, ଓଡ଼ିଶାରେ ପ୍ରଭାବ !


ସତ୍ୟଶିଖା ୧୨ .୦୯.୨୦୨୦ : ଆଳୁ ହିସାବ ଗଡ଼ବଡ଼ ହୋଇଗଲାଣି । ୭ ଦିନରେ ବଢ଼ିଲାଣି ୭ ଟଙ୍କା । ଏଥର କିନ୍ତୁ ସଙ୍କଟ ଅଲଗା । ଲଗାଣ ବର୍ଷା ଓ ବନ୍ୟା ଯୋଗୁ ପଶ୍ଚିମବଙ୍ଗର ଆଳୁ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି । ତେଣୁ ଭବିଷ୍ୟତରେ ଅଧିକ ଲାଭ ପାଇଁ ଏହି ରାଜ୍ୟ ଆଳୁ ଗଚ୍ଛିତ କରି ରଖୁଥିବା କୁହାଯାଉଛି । ତେଣୁ ଚାହିଦା ଅନୁସାରେ ଓଡ଼ିଶାକୁ ସେତିକି ପରିମାଣରେ ଆଳୁ ଆସୁନାହିଁ । ଏବେ ଆଉ ଗୋଟେ ସଂକଟ ହେଉଛି, ଯେ ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ଦର ଓଡ଼ିଶାଠାରୁ ଅଧିକ ରହିଛି ।
ହଠାତ୍ ଆଳୁ ସଂକଟ ପଡ଼ିବାର କାରଣ କ’ଣ, ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଛି । ଜଣାପଡ଼ିଛି ଯେ, ଚଳିତ ବର୍ଷ ଆଳୁ ଉତ୍ପାଦନ ଗତ ବର୍ଷ ତୁଳନାରେ କମ୍ ରହିଥିଲା । ଏହାସହଏ ବର୍ଷ ମଧ୍ୟ ଚାଷ କ୍ଷତିଗ୍ରସ୍ତ ହୋଇଥିବାରୁ ଫେବ୍ରୁଆରି ମାସରେ ହେବାକୁ ଥିବା ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହେବ । ଏମିତି ପଶ୍ଚିମବଙ୍ଗରେ ପ୍ରତିମାସ ପ୍ରାୟ ୫ଲକ୍ଷ ଟନ୍ ଆଳୁର ଚାହିଦା ଥାଏ । ସେହି ହିସାବରେ ସେଠାକାର ସରକାର ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଆଗାମୀ ୬ ମାସର ଆଳୁ ଗଚ୍ଛିତ କରି ରଖୁଛନ୍ତି । ତେଣୁ ବାହାର ରାଜ୍ୟକୁ ଯଥେଷ୍ଟ ପରିମାଣରେ ଆଳୁ ଯୋଗାଇବା ସମ୍ଭବ ହେବନାହିଁ ବୋଲି ପଶ୍ଚିମବଙ୍ଗ ଯୋଗାଣ ବିଭାଗର ଜଣେ ଅଧିକାରୀ ନିଜର ନାମ ଗୋପନ ରଖି କହିଛନ୍ତି ।
ପୂର୍ବରୁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଯେତିକି ଆଳୁ ଆସୁଥିଲା, ଏବେ ସେଥିରୁ କିଛି ଭାଗ ଆଳୁ ଆସାମକୁ ମଧ୍ୟ ପଶ୍ଚିମବଙ୍ଗ ରପ୍ତାନି କରୁଛି । ସବୁଠାରୁ ସାଂଘାତିକ କଥା ହେଉଛି, କିଛିଦିନ ଭିତରେ ପଡ଼ୋଶୀ ରାଜ୍ୟକୁ ଆଳୁ ଚାଲାଣ ଉପରେ ଅଲିଖିତ ଭାବେ ରୋକ ଲଗାଇଦେଇଛନ୍ତି ସରକାର । ବିଭିନ୍ନ ଶୀତଳଭଣ୍ଡାରରେ ଚାଲାଣ ହେବାକୁ ଥିବା ଆଳୁକୁ ଅଟକାଇ ଦିଆଯାଇଛି । ଏପରିକି ସୀମାନ୍ତ ଗେଟ୍ଗୁଡ଼ିକରେ ଜଗିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଦୁର୍ଗାପୂଜା, ନିର୍ବାଚନ ଆସନ୍ତା ଏପ୍ରିଲରେ ହେବ। ତେଣୁ ତା’ ପୂର୍ବରୁ ଆଳୁ ପାଇଁ କୌଣସି ଅସନ୍ତୋଷ ଚାହୁନାହାନ୍ତି ମମତା ସରକାର ।
ଜଳେଶ୍ୱରର ୮ ରୁ ଉର୍ଦ୍ଧ ଆଳୁ ଗୋଦାମ ରହିଥିବା ବେଳେ ପୂର୍ବରୁ ଏସବୁ ଗୋଦାମକୁ ୪ ରୁ ୫ ଗାଡି ଆଳୁ ଅର୍ଥାତ୍ ସାଢେ ୩ ହଜାର କ୍ୟୁଣ୍ଟାଲ ଆଳୁ ସପ୍ତାହକୁ ଆସୁଥିଲା ।ଏବେ ଏହାର ଅଧା ଆଳୁ ମଧ୍ୟ ଆସି ପାରୁନାହିଁ ବୋଲି ଜଳେଶ୍ୱରର କେତେକ ବ୍ୟବସାୟୀ ପ୍ରକାଶ କରିଛନ୍ତି । ଅବଶ୍ୟ ଭୁବନେଶ୍ୱରରେ ଥିବା ଆଳୁ ଗୋଦାମ ଉପରେ ଏପର୍ଯନ୍ତ ଆମଦାନୀକୁ ନେଇ କୌଣସି ପ୍ରଭାବ ପଡ଼ି ନ ଥିବା ସୂଚନା ମିଳିଛି । କିନ୍ତୁ ଭୁବନେଶ୍ୱରର ଆଳୁ ବଜାର ଗ୍ରାମାଞ୍ଚଳର ଆଳୁ ବଜାର ଭିତରେ ଫରକ ରହିଛି । ସେଠାକାର ବ୍ୟବସାୟ ଓ ଗ୍ରାମାଞ୍ଚଳ ସମେତ ଅନ୍ୟ ସହରଗୁଡ଼ିକରେ ଆଳୁ ବେପାର ଶୈଳୀରେ ମୌଳିକ ପାର୍ଥକ୍ୟ ରହିଛି ।