ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ: ଏସ୍ଆର୍ସି


ସତ୍ୟଶିଖା(ଭୁବନେଶ୍ୱର) ୨୧ .୦୫.୨୦୨୧: ପ୍ରାକ୍ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁବ। ତେବେ ତା’ର ଗତି, ବେଗ ଓ ତୀବ୍ରତା କେତେ ରହିବ, ସେ ନେଇ ଆଇଏମ୍ଡି ପକ୍ଷରୁ କିଛି କୁହାଯାଇନାହିଁ। ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ଆଜି ସୂଚନା ଦେବା ବେଳେ ଏହି କଥା କହିଛନ୍ତି।
ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆଇଏମ୍ଡି ଓ ଏନ୍ଡିଏମ୍ଏ ସହିତ ବୈଠକ ହୋଇଛି। ଆଇଏମ୍ଡିର ଆକଳନ ଅନୁସାରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ ତାରିଖରେ ଏହା ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଆଉ ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ। ପ୍ରାକ୍ ଆକଳନ ଅନୁସାରେ ୨୬ ତାରିଖ ବେଳକୁ ଏହା ସ୍ଥଳଭାଗ ମୁହାଁ ହେବ ଏବଂ ଉତ୍ତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି। ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ କ’ଣ ରହିବ, କେତେ ବେଗରେ ଏହା ଗତି କରିବ, ତା’ର ଭୟାବହତା କ’ଣ ରହିବ ଓ କେତେ ବର୍ଷା ହେବ, ସେନେଇ ଆଇଏମ୍ଡି ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସେ ସଂପର୍କରେ ଆକଳନ ଚାଲିଛି। କିନ୍ତୁ ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆମେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ଦେଲୁଣି।