ଡାଳିମ୍ବ ସ୍ୱାସ୍ଥ୍ୟ ପାଇଁ ହିତକର : ରକ୍ତହୀନତା, ମଧୁମେହ, କ୍ୟାନସର୍ ଭଳି ଅନେକ ରୋଗରୁ ମିଳିଥାଏ ମୁକ୍ତି l


ସତ୍ୟଶିଖା ( ଭୁବନେଶ୍ୱର ) ୦୧ .୧୦ ୨୦୨୦ : ଡାଳିମ୍ବ ବହୁତ ଲୋକଙ୍କୁ ପସନ୍ଦ । ଶରୀରରେ ରକ୍ତ ବୃଦ୍ଧି ପାଇଁ ଡାଳିମ୍ବ ବହୁତ ଉପାଦେୟ | ନିୟମିତ ଡାଳିମ୍ବ ସେବନ କଲେ ଶରୀରରେ ରକ୍ତହୀନତା ଦେଖା ଦେଇନଥାଏ । ଡାଳିମ୍ବର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି । ଡାଳିମ୍ବରେ ପ୍ରଚୁର ମାତ୍ରାରେ ଆଇରନ, ଏନର୍ଜି, ଅସନ୍ତୁଳିତ ଫ୍ୟାଟି ଏସିଡ୍, ଫାଇବର, ପ୍ରୋଟିନ, ଭିଟାମିନ ଓ ଥାଇମିନ ରହିଛି । ଏହାସହ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ଫୋଲିକ୍ ଏସିଡ୍ ଏବଂ ରାଇବୋଫ୍ଲାଭିନ୍ ମଧ୍ୟ ପ୍ରଚୁର ପରିମାଣରେ ଅଛି ।
ରକ୍ତହୀନତା ପାଇଁ ଲାଭଦାୟକ – ଡାଳିମ୍ବ ସେବନ ଦ୍ୱାରା ରକ୍ତହୀନତା ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ଡାଳିମ୍ବ ସେବନ କଲେ ରକ୍ତହୀନତା ପୀଡିତ ବ୍ୟକ୍ତିଙ୍କର ନାଲି ରକ୍ତ କଣିକା ବୃଦ୍ଧି ପାଇଥାଏ ଯାହାଫଳରେ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ ।
ମଧୁମେହ ରୋଗୀଙ୍କ ଲାଭଦାୟକ – ଡାଳିମ୍ବ ସେବନ ଦ୍ୱାରା ମଧୁମେହ ରୋଗୀଙ୍କୁ କିଛି ସମସ୍ୟା ହୋଇନଥାଏ । କିନ୍ତୁ ମଧୁମେହ ରୋଗୀ ଡାଳିମ୍ବ ଜୁସ ପିଇବା ଅନୁଚିତ । ଡାକ୍ତରଙ୍କ ଅନୁସାରେ ଜୁସ ବଦଳରେ ମଧୁମେହ ରୋଗୀ ସିଧାସଳଖ ଡାଳିମ୍ବ ସେବନ କରିବl ଉଚିତ ।
କ୍ୟାନସର ରୋଗରୁ ରକ୍ଷା କରିଥାଏ – ଡାଳିମ୍ବରେ ଥିବା ଅନେକ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ କ୍ୟାନସର ଭଳି ରୋଗ ସହ ଲଢ଼ିବାରେ ସହାୟକ ହୋଇଥାଏ । ନିୟମିତ ଡାଳିମ୍ବ ଜୁସ ସେବନ କଲେ କିମ୍ବା ତାଜା ଡାଳିମ୍ବ ଖାଇଲେ ସ୍ତନ କର୍କଟ ଓ ଚର୍ମ କର୍କଟ ହେବାର ଆଶଙ୍କା କମ ହୋଇଥାଏ । କ୍ୟାନସର ରୋଗୀ ମଧ୍ୟ ପ୍ରତିଦିନ ଡାଳିମ୍ବ ଜୁସ ପିଇବା ଉଚିତ ।
ଓଜନ କମାଇବାରେ ସହାୟକ – ଯେଉଁମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଡାଳିମ୍ବ ଅତ୍ୟନ୍ତ ଲାଭଦାୟକ । ଗୋଟିଏ ଗ୍ଲାସ ଡାଳିମ୍ବ ଜୁସ ପିଇଲେ ଅଣ୍ଟା ଚର୍ବି କମ ହୋଇଥାଏ । ଓଜନ କମ କରିବା ପାଇଁ ଡାଳିମ୍ବ ଖାଇବା ଠାରୁ ତାର ଜୁସ ପିଇବା ଅଧିକ ଲାଭଦାୟକ ।
କୋଲେଷ୍ଟ୍ରଲ ଏବଂ ହୃଦ୍ ରୋଗ ପାଇଁ ସହାୟକ – ଡାଳିମ୍ବ ଶରୀରରେ ରକ୍ତ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ । ଯାହାଫଳରେ ହୃଦୟ ଯାଏଁ ରକ୍ତ ସଠିକ ଭାବେ ପହଞ୍ଚି ପାରିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ନିୟମିତ ଡାଳିମ୍ବ ସେବନ କଲେ ହୃଦ୍ ସମ୍ବନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ । ଡାଳିମ୍ବ ସେବନ ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ଥର କମ ହୋଇଥାଏ ।
ଗଣ୍ଠି ସମସ୍ୟା ଦୂର ହୋଇଥାଏ – ନିୟମିତ ଡାଳିମ୍ବ ଜୁସ ସେବନ କଲେ ମାଂସପେଶୀ, ହାଡ ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । କିଛି ଲୋକଙ୍କର ରକ୍ତହୀନତା ଯୋଗୁଁ ମଧ୍ୟ ଗଣ୍ଠି ଯନ୍ତ୍ରଣା ହୋଇଥାଏ । ଗଣ୍ଠି ମଜବୁତ କରିବାକୁ ନିୟମିତ ଡାଳିମ୍ବ ଜୁସ ସେବନ କରିବା ଉଚିତ ।
ଗର୍ଭବତୀ ମହିଳାଙ୍କ ପାଇଁ ହିତକାରକ – ଗର୍ଭବତୀ ମହିଳାଙ୍କ ପାଇଁ ଡାଳିମ୍ବ ଅତ୍ୟନ୍ତ ହିତକାରକ । ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଡାଳିମ୍ବ ଅତ୍ୟନ୍ତ ଲାଭଦାୟକ । ଡାଳିମ୍ବ ସେବନ ଦ୍ୱାରା ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ମଧ୍ୟ ନଥାଏ ।