ଥାନାବାବୁଙ୍କ ଓ୍ୱାନ୍ ସାଇଡ୍ ଲଭ୍

ସତ୍ୟଶିଖା ୦୭/୦୧/୨୦୨୧ :  ଥାନାବାବୁଙ୍କ ମନରେ ପ୍ରେମର ନିଆଁ । ଖାକି ବାବୁଙ୍କଠାରେ ଗୋଲାପୀ ଛିଟା । ଥାନାକୁ ଏତଲା ଦେବାକୁ ଆସିଥିବା ଏତଲାକାରୀଙ୍କ ସହ ପ୍ରେମାଳାପ କରି ଫସିଛନ୍ତି କେନ୍ଦ୍ରପଡାର ଜଣେ ଥାନା ଅଧିକାରୀ । କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଏପରିକି ଏତଲକାରୀ ମଧ୍ୟ ଏନେଇ ଜିଲ୍ଲାର ଏସିପଙ୍କ ଦ୍ୱାରସ୍ଥ ହୋଇଛନ୍ତି । ‘ତୁମେ ବହୁତ ସୁନ୍ଦର ଲାଗୁଛ । ଲୁକିଂ ଭେରି କ୍ୟୁଟ୍‌ । ତୁମେ କେମିତି ଏତେ ସୁନ୍ଦରୀ ହେଲ? ତୁମେ ମୋତେ ବହୁତ ସୁନ୍ଦର ଲାଗୁଛ ।’ ଏମିତି କେତେ କ’ଣ ମନମତାଣିଆ କଥା ଥିଲା । ଏହା କୌଣସି ୟାତ୍ରା ବା ପିଲ୍ମର ଡାଏଲଗ ନୁହେଁ । ବରଂ  ଏତଲକାରୀଙ୍କ ସହ ଥାନାବାବୁଙ୍କ ପ୍ରେମାଳାପର କିଛି ଅଂଶ । ଏନେଇ କେନ୍ଦ୍ରାପଡ଼ା ଏସ୍‌ପି ମଦକର ସନ୍ଦୀପ ସମ୍ପଦଙ୍କୁ ପୀଡିତା ଜଣାଇବା ସହ ତଥ୍ୟ ମଧ୍ୟ ଦେଇଛନ୍ତି । କେନ୍ଦ୍ରାପଡ଼ା ଉପଖଣ୍ଡ ଅଂଚଳର ଜଣେ ଥାନାବାବୁ ଏଭଳି ପ୍ରେମାଳାପ କରି ବିବାଦରେ ଫସିଛନ୍ତି ।

ସୂଚନାନୁସାରେ, ସମ୍ପୃକ୍ତ ଥାନାରେ ପୀଡିତା ଗତ ଡିସେମ୍ୱର ୨୨ ତାରିଖରେ ଏକ ସଙ୍ଗୀନ ଅଭିଯୋଗ ନେଇ ଏତଲା ଦାଖଲ କରିଥିଲେ । ଯେଉଁମାନେ ଏ ମାମଲା ସହ ଜଡ଼ିତ ସେମାନଙ୍କ ନାଁ ମଧ୍ୟ ସ୍ପଷ୍ଟ ଭାବେ ସେ ଦର୍ଶାଇଥିଲେ । ପୋଲିସ ଏତଲା ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ କାର୍ଯ୍ୟାନୁଷ୍ଠାନ ନେଇନଥିଲା। ପୀଡ଼ିତା ଓ ତାଙ୍କ ପରିବାର ପ୍ରତି ବିପଦ ଆଶଙ୍କା ଥିବା ବେଳେ ପୁଲିସ ସଂପୃକ୍ତ ପୀଡ଼ିତାଙ୍କ ଅସହାୟତାର ସୁଯୋଗ ନେଇଥିଲା । ଅଭିଯୁକ୍ତମାନଙ୍କୁ ଧରିବା ବଦଳରେ ଥାନାବାବୁ ଏତଲାକାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ । ତାଙ୍କୁ ଅରୁଚିକର ମନ୍ତବ୍ୟ ଦେଉଥିଲେ । ହ୍ୱାଟ୍ସଆପ୍‌ରେ ଭିଡିଓ କଲିଂ କରିବା ସହ ଫୋନ୍‌ କରି ରୋମାଣ୍ଟିକ କଥା ହେଉଥିଲେ । ଏତଲାକାରୀଙ୍କ ସୌନ୍ଦର୍ଯ୍ୟକୁ ବିଭିନ୍ନ ଆଳଙ୍କରିକ ଶବ୍ଦରେ ବର୍ଣ୍ଣନା କରି ତାରିଫ୍‌ କରିଥିଲେ ଥାନା ବାବୁ ।

ଏହି କଥା ସେତିକିରେ ସରି ନଥିଲା । ରସିକିଆ ପୋଲିସ ବାବୁ ରଙ୍ଗିଲା ମିଜାଜ୍‌ରେ ତାଙ୍କୁ ଫୋନ୍‌ କରି ପ୍ରେମଭରା ସଙ୍ଗୀତ ଶୁଣାଇବାକୁ ପଛାଉ ନଥିଲେ। ଭୁଲି ମୁଁ ପାରୁନି ମୋର ପ୍ରଥମ ପ୍ରେମକୁ… ବୋଲି ଶୁଣାଇଥିଲେ । ଏଭଳି ଭାବେ ଥାନାବାବୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ପୀଡ଼ିତା  ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏ ଘଟଣାର ତଦନ୍ତ ପୂର୍ବକ ପଦକ୍ଷେପ ଗ୍ରହଣ ନ କଲେ ଆମରଣରେ ଅନଶନରେ ବସିବେ ବୋଲି ଚେତବାନୀ ଦେଇଛନ୍ତି ପୀଡିତା ।

Exit mobile version