ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ରଣନୀତି ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଯଥା ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ସ୍ଥିତି ବାବଦରେ ସମୀକ୍ଷା କରିବେ । ଏହା ସହିତ ଯେଉଁସବୁ ରାଜ୍ୟଗୁଡିକରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ସେସବୁର ସ୍ଥିତି ସମୀକ୍ଷା କରାଯିବ ।
ସେହିପରି ଦେଶରେ ଏବେ ୪ଟି କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲୁ ରହିଛି । ତେଣୁ ଏହିସବୁ ଟିକାର ବଣ୍ଟନ ଓ ଜରୁରୀ ଅନୁମୋଦନ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ କଥାହେବେ । ନିକଟରେ ଶେଷ ହୋଇଥିବା ନିତି ଆୟୋଗ ବୈଠକରେ ଟିକାର ଜରୁରୀ ବ୍ୟବହାରକୁ ଅନୁମତି, ଆଗୁଆ ଅଧିଗ୍ରହଣ, ଟିକାର ମୂଲ୍ୟ ନିର୍ଦ୍ଧାରଣ ଆଦି ବିଷୟ ଆଲୋଚନା କରାଯାଇଥିଲା । ଫାଇଜର ଓ ମଡେର୍ଣ୍ଣା ଟିକାର ଜରୁରୀ ବ୍ୟବହାର ନିମନ୍ତେ ଆବେଦନ କରାଯାଇଛି । ଏହି ସବୁ ଟିକା ୯୫%ରୁ ଅଧିକ ପ୍ରଭାବଶାଳୀ ରହିଥିବା କୁହାଯାଇଛି ।