

ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : ଅନ୍ତରାଜ୍ୟ କିଡ୍ନି ଠକେଇ ରାକେଟ୍ର କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ପରଚାଉଚରା ଲାଗି ପୁଣି ତିନି ଦିନିଆ ରିମାଣ୍ଡରେ ଅଣାଯିବ । ଲକ୍ଷ୍ମୀସାଗର ଥାନା ପୁଲିସ ରିମାଣ୍ଡ ଆବେଦନକୁ ଭୁବନେଶ୍ୱର ଏସଡିଜେଏମ୍ ଆଜି ମଞ୍ଜୁର କରିଛନ୍ତି ।
ଆସନ୍ତାକାଲି ପୂର୍ବାହ୍ନରେ ଲକ୍ଷ୍ମୀସାଗର ଥାନା ପୁଲିସ ଝାରପଡ଼ା ଜେଲରୁ ହିମାଂଶୁକୁ ଆଣି ଜେରା କରିବ । ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ମିଲି ସାହୁ ନାମ୍ନୀ ମହିଳାଙ୍କଠାରୁ କିଡ୍ନି ଦେବା ପାଇଁ ହିମାଂଶୁ ୧ ଲକ୍ଷ ୧୩ ହଜାର ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନ ଥିଲେ । ଏ ନେଇ ମିଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା । ହିମାଂଶୁ ସହ ଆଉ କିଏ କିଏ ସମ୍ପୃକ୍ତ, ଏହି ଠକେଇରେ ଆଉ କିଏ ସହଯୋଗ କରୁଥିଲେ, ଲକ୍ଷ୍ମୀସାଗର ଅଞ୍ଚଳରେ କେବେଳ ମିଲି ନା ଆଉ କେହି ଠକାମିର ଶିକାର ହୋଇଛନ୍ତି, ସେ ନେଇ ଖୋଳତାଡ଼ କରିବ ପୁଲିସ ।
ସୂଚନାଯୋଗ୍ୟ, ୨୦୧୯ରେ ନୟାପଲ୍ଲୀ ଅଞ୍ଚଳର ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ କିଡନୀ ଦେବା ନାଁରେ ୫ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିଲା ହିମାଂଶୁ । ଏ ନେଇ ଗତ ୧୧ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା । ସେହିପରି ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ କୁମାର ନାୟକଙ୍କୁ ମଧ୍ୟ ୧୮ ଲକ୍ଷ ୫୩ ହଜାର ଟଙ୍କାର ଚୂନ ଲଗାଇଥିଲା ହିମାଂଶୁ ।