

ସତ୍ୟଶିଖା(ଭୁବନେଶ୍ୱର )୩୦.୦୯ .୨୦୨୧: ନେତା ବାଛୁଛି ପିପିଲି । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ । ସେଥିପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୯ଟା ସୁଦ୍ଧା ୭ ଦଶମିକ ୮୦ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି । ସଂଧ୍ୟା ୬ଟା ଯାଏଁ ଏଠାରେ ମତଦାନ ହେବ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ କରୋନାରେ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି । ତେବେ ଦୁଇ ଦୁଇଥର ନିର୍ବାଚନ ସ୍ଥଗିତ ରହିବା ପରେ ଶେଷରେ ହେଉଛି ଭୋଟିଂ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଓ କରୋନା ସଂକ୍ରମଣ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ୍ । ବିଜେଡି ଓ ବିଜେପି ପାର୍ଥୀଙ୍କୁ ଅପରିବର୍ତ୍ତିତ ରଖି କେବଳ କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବାପାଇଁ ସୁଯୋଗ ମିଳିଥିଲା । ତେଣୁ ଏବେ ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରୀତ ପଟ୍ଟନାକଙ୍କ ସହ କଂଗ୍ରେସରୁ ଲଢେଇ କରୁଛନ୍ତି ବିଶ୍ୱକେଶନ ହରିଚନ୍ଦନ । ଉପନିର୍ବାଚନକୁ କୋଭିଡ ମୁକ୍ତ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରକୁ ଆସୁଥିବା ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଅସ୍ୱଭାବିକ ତାପମାତ୍ରା ଥିଲେ କିମ୍ବା କରୋନାର କିଛି ଲକ୍ଷଣ ଦେଖା ଯାଉଥିଲେ ଏକ ଟୋକନ ଦେଇ ଶେଷ ୧ ଘଂଟାରେ ଭୋଟ୍ ଦେବାପାଇଁ ବ୍ୟବସ୍ଥା ହୋଇଛି ।