Uncategorizedରାଜନୀତିରାଜ୍ୟ

ପିପିଲି ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୪.୭୬% ମତଦାନ

ସତ୍ୟଶିଖା(ପୁରୀ )୩୦.୦୯ .୨୦୨୧:  ଆଜି ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ  । ମହାରଥୀଙ୍କ ଗଡ ପିପିଲି ଏଥର କାହାର ହେବ ତାହା ନିର୍ଦ୍ଧାରଣ କରିବେ ଭୋଟର  । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । କୋଭିଡ କଟକଣା ଭିତରେ 348 ମତଦାନ କେନ୍ଦ୍ରରେ ମତଦାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି  । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ମତଦାନ କରିବେ । ଉପ ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି ।

ପ୍ରତି ବୁଥରେ ୧୦୦୦ ଜଣ ମତଦାତା ଭୋଟ ଦେଇପାରିବେ । ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସେହିପରି ସମସ୍ତ ଭୋଟର ଭୋଟ ପରିଚୟପତ୍ର ସମେତ ଅନ୍ୟ ୧୧ଟି ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ । ନିର୍ବାଚନକୁ ମୁକ୍ତ ଏବଂ ଅବାଧ କରିବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି । ମତଦାନ ପୂର୍ବରୁ ସମସ୍ତ ବୁଥରେ ମକ ପୋଲ ଅନୁଷ୍ଠିତ ହୋଇଥିଲା  । ସବୁ ଦଳର ଏଜେଣ୍ଟଙ୍କ ଉପସ୍ଥିତରେ ଏହି ମକ ପୋଲ ହୋଇଛି ।

ମୋଟ ୩୪୮ଟି ବୁଥ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବା ମୋଟ ୧୭୫ଟି ବୁଥରେ ୱେବକାଷ୍ଟିଂ, ୨୩ଟିରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ ସହ ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯାଇଛି । ଏତଦ୍ ବ୍ୟତୀତ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ମଧ୍ୟ ରହିଛି  । ଉପ ନିର୍ବାଚନ ନିମନ୍ତେ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ ୫୦୦ଟି ଗାଡି ମୁତୟନ କରାଯାଇଛି ।  ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି  । ସେହିଭଳି ୧୯୮୩ ସୁରକ୍ଷାକର୍ମୀ ମୁତୟନ ସହ ୩୨ଟି ମୋବାଇଲ ଟିମ୍ ନିୟୋଜିତ ରହିଛନ୍ତି  ।

ପିପିଲି ଉପ ନିର୍ବାଚନର ମତଦାନ ନିମନ୍ତେ ଦିବ୍ୟାଙ୍କ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି  । ପ୍ରତ୍ୟେକ ବୁଥ ଅର୍ଥାତ୍ ୩୪୮ଟିରେ ହ୍ବିଲ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ଓ ବୁଥକୁ ନେବା ଆଣିବା କରିବା ପାଇଁ ସ୍ବତନ୍ତ୍ର ବାହାନ ବ୍ୟବସ୍ଥା କରାଯାଇଛି  । ଏଥିପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ ୨୮ଟି ଗାଡି ନେବା ଆଣିବା ପାଇଁ ରଖାଯାଇଛି । ସେମାନଙ୍କୁ ସହଯୋଗ କରିବାକୁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ବେସରକାରୀ ସଂସ୍ଥାର ସେଚ୍ଛାସେବୀ ନିୟୋଜିତ ଅଛନ୍ତି । ବୁଥରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବା ଯଥା- ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର, ହାତ ଧୋଇବା ଓ ସାନିଟାଇଜର ବ୍ୟବହାର ଏବଂ ମତଦାନ ସମୟରେ ହାତରେ ଗ୍ଲୋଭ୍ସ ବ୍ୟବହାର କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ମତଦାତାମାନଙ୍କୁ ନିବେଦନ କରିଛନ୍ତି ।

ପୂର୍ବରୁ ପ୍ରଥମେ ଏପ୍ରିଲ ୧୬ରେ ପିପିଲି ପାଇଁ ଭୋଟ୍ ପଡିବାକୁ ଥିବାବେଳେ ୧୩ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହେବାରୁ ନିର୍ବାଚନ ସ୍ଥଗିତ ହେଲା  । ପରେ କୋରୋନା ପାଇଁ ମେ ୧୬ରେ ମଧ୍ୟ ନିର୍ବାଚନ ହୋଇପାରିଲା ନାହିଁ । ଶେଷରେ ବହୁ ପ୍ରତୀକ୍ଷା ପରେ ଆଜି ମତଦାନ ହେବ  ଏବଂ ଆସନ୍ତା ୩ ତାରିଖରେ ହେବ ଭୋଟ ଗଣତି ।

 

Show More
Back to top button