ନ୍ୟୁଜ୍ରାଜ୍ୟ

ଲଗାଣ ବର୍ଷା ପରେ ଫୁଲବାଣୀ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ

ସତ୍ୟଶିଖା( ଫୁଲବାଣୀ )୨୨.୦୭ . ୨୦୨୨:  ଗତ କିଛିଦିନରେ ଫୁଲବାଣୀରେ ହୋଇଥିଲା ଲଗାଣ ବର୍ଷା । ଫଳରେ ଫୁଲବାଣୀ ସହରର ମୁଖ୍ୟ ରାସ୍ତା ସଂପୂର୍ଣ୍ଣଭାବେ ଶୋଚନୀୟ ହୋଇ ପଡ଼ିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଚାଲିକି ଯିବା ଓ ଗାଡ଼ି ଚଳାଇବାକୁ ଭୟ କଲେଣି। ମାଦିକୁନ୍ଦା ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସଂପୂର୍ଣ୍ଣଭାବେ ରାସ୍ତା ହୋଇ ପଡ଼ିଛି ଗୁଡ଼ିମୟ। ରାସ୍ତାରେ ପିଚୁ ଉଠିଯାଇ ଛୋଟ ଛୋଟ ଗୁଡ଼ି ବାହାରି ପଡ଼ିଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରଭାବରେ ବାୟୁ ପ୍ରଦୂଷଣ ଏବେ ଚରମ ସୀମାରେ ପହଞ୍ଚିଛି। ଉକ୍ତ ରାସ୍ତାର ତୁରନ୍ତ ମରାମତି କରାନଗଲେ ଆଗାମି ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ଏଡାଇ ଦିଆଯାଇନପାରେ। ତୁରନ୍ତ ମରାମତି କରିବା ପାଇଁ ଦାବି ହୋଇଛି। ଗୋଟିଏ ପଟେ ନିମ୍ନ ମାନର କାର୍ଯ୍ୟ ସହିତ ଅନ୍ୟପଟେ ଲଗାଣବର୍ଷା ଫଳରେ ରାସ୍ତାର ଅବସ୍ଥା ଏଭଳି ହୋଇଥିବା ମଧ୍ୟ ଆଲୋଚନା ଜୋର ଧରିଛି। ତେବେ ଗତ କିଛିମାସ ତଳେ ଉକ୍ତ ରାସ୍ତାର ମରାମତି କରାଯାଇଥିବା ବେଳେ ମାତ୍ର ସପ୍ତାହେ ବର୍ଷା ପରେ ଏଭଳି ପରିସ୍ଥିତିକୁ ଅନେକ ନାନା ସନ୍ଦେହରେ ଦେଖିଛନ୍ତି। ବର୍ଷର ବିଭିନ୍ନ ସମୟରେ ଉକ୍ତ ରାସ୍ତାର ମରାମତି କରାଯାଉଥିବା ବେଳେ ଚଳିତ ଥର ପରିସ୍ଥିତି ଗମ୍ଭୀର ହୋଇ ପଡ଼ିଛି। ଚାଲି ଚାଲି ଦୂରର କଥା ବାଇକ୍ ଚଳାଇବା ମଧ୍ୟ କଷ୍ଟକର ହୋଇ ପଡ଼ିଲାଣି। ଏଭଳି ସ୍ଥଳେ ତୁରନ୍ତ ବାୟୁ ପ୍ରଦୂଷଣ ରୋକିବା ସହିତ ରାସ୍ତାର ମରାମତି କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Show More
Back to top button