ଦେଶସ୍ୱାସ୍ଥ୍ୟ

ପିଲାଙ୍କ ଉପରେ କରୋନା ଟିକା ପରୀକ୍ଷଣ ବିରୋଧରେ ପିଟିଶନ

ସତ୍ୟଶିଖା(ଭୁବନେଶ୍ୱର) ୧୯ .୦୫.୨୦୨୧: ନୂଆଦିଲ୍ଲୀ: ଦେଶରେ ପିଲାଙ୍କ ଉପରେ ଟିକା ପରୀକ୍ଷଣ ନିଷ୍ପତ୍ତିକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାୟର ହୋଇଛି। ୨ରୁ ୧୮ ବର୍ଷର ପିଲାଙ୍କ ଉପରେ ଟିକା ପରୀକ୍ଷଣ ପାଇଁ ଦିଆଯାଇଥିବା ଅନୁମତିକୁ ରଦ୍ଦ କରିବା ଲାଗି ଏଥିରେ ଅନୁରୋଧ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାର ଏବଂ ଟିକା ପରୀକ୍ଷଣ ପାଇଁ ମଞ୍ଜୁରୀ ପାଇଥିବା ଭାରତ ବାୟୋଟେକ କମ୍ପାନୀକୁ ନୋଟିସ ଜାରି କରିଛନ୍ତି। ତେବେ ପିଲାଙ୍କ ଉପରେ କୋଭିଡ-୧୯ ନିରୋଧୀ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷଣ ପାଇଁ ଗତ ୧୨ ତାରିଖରେ ଦିଆଯାଇଥିବା ଅନୁମତି ଉପରେ କୌଣସି ଅନ୍ତରୀଣ ଆଦେଶ ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି।

ଆଗକୁ କରୋନା ମହାମାରୀର ୩ୟ ତରଙ୍ଗ ଆସିବାର ଆଶଙ୍କା ରହିଛି। ଏଥିରେ ପିଲାମାନେ ସବୁଠୁ ବେଶୀ ପ୍ରଭାବିତ ହେବେ। ଅର୍ଥାତ ପିଲାମାନେ ଏହି ଭୂତାଣୁରେ ଆକ୍ରାନ୍ତ ହେବେ। ବିଶେଷଜ୍ଞମାନେ ଏଭଳି ଚେତାବନୀ ଦେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ରୁ ୧୮ ବର୍ଷର ପିଲାଙ୍କ ଉପରେ ଟିକା ପରୀକ୍ଷଣ କରିବା ଲାଗି ଅନୁମତି ଦିଆଯାଇଥିଲା। ଭାରତ ବାୟେଟେକ କମ୍ପାନୀକୁ ଏ ନେଇ ମଞ୍ଜୁରୀ ମିଳିଥିଲା।

ସୂଚନାଯୋଗ୍ୟ, ଭାରତ ବାୟୋଟେକ ଏବଂ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ମିଳିତ ଭାବେ କୋଭାକ୍ସିନ ଟିକା ବିକଶିତ କରିଛନ୍ତି। କରୋନାର ୩ୟ ତରଙ୍ଗକୁ ଦୃଷ୍ଟିରେ ରଖି ପିଲାଙ୍କ ଉପରେ ଏହାର ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ୫୨୫ ଜଣ ସୁସ୍ଥ ସ୍ଵେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷଣ କରାଯିବ।

Show More
Back to top button