ସିନେମା ହଲ୍‌ ଖୋଲିବାକୁ ଅନୁମତି, ହେଲେ ସିନେମା କାହିଁ?

ସତ୍ୟଶିଖା (କଟକ) ୩୧/୧୨/୨୦୨୦ : ସରକାର ଅନୁମତି ଦେଲେ, କିନ୍ତୁ କାହାକୁ ନେଇ ହଲ୍‌ ଚାଲିବ? ସୋ ପିଛା ୫୦ ପ୍ରତିଶତ ଦର୍ଶକ ସିନେମା ଦେଖିପାରିବେ, କିନ୍ତୁ ସିନେମା କେଉଁଠୁ ଆସିବ? ଏବେ ଏଭଳି ପ୍ରଶ୍ନ ସିନେମା ହଲ୍‌ ମାଲିକଙ୍କୁ ସନ୍ଦେହରେ ପକାଇଛି । ବୁଧବାର ରାଜ୍ୟ ସରକାର ସିନେମା ହଲ୍‌ ଖୋଲିବାକୁ ନେଇ ଜାରି କରିଥିବା ନୂଆ ନିୟମାବଳିରେ ୫୦ ପ୍ରତିଶତ ଦର୍ଶକରେ ହଲ୍‌ ଚଲାଇବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଗତ ୮ମାସ ଧରି ଅଚଳ ହୋଇପଡ଼ିଥିବା ସିନେମା ହଲ୍‌ଗୁଡ଼ିକର ଅବସ୍ଥା ବିଷୟରେ ସରକାର ଚିନ୍ତା କରିବାକୁ ଭୁଲିଯାଇଛନ୍ତି । ଅଚଳ ହୋଇଯାଇଥିବା ହଲ୍‌ଗୁଡ଼ିକୁ ସଚଳ କରିବାକୁ ଯଦିଓ ସରକାର କିଛିଟା ପ୍ରୟାସ କରିଛନ୍ତି, କିନ୍ତୁ ବାସ୍ତବିକ୍‌ ସ୍ଥିତିରେ ସୁଧାର ଆସିବା ପାଇଁ ଆହୁରି ଅନେକ ଦିନ ଲାଗିଯିବ ବୋଲି କୁହାଯାଉଛି । କେବଳ ଏତିକି ନୁହେଁ, ସିନେମା ଚାଲିବା ପାଇଁ ବଡ଼ ଷ୍ଟାର‌୍‌ ମାନଙ୍କର ଆବଶ୍ୟକତା ଓ ଋତୁ ଥାଏ । ହେଲେ ଏବେ ନୂଆବର୍ଷ ଥିଲେ ବି ହଲ୍‌ ଚାଲିବା ପାଇଁ ସେଭଳି କୌଣସି ସିନେମା ସାମ୍ନାରେ ନାହିଁ । ତେଣୁ ବ୍ୟବସାୟ ମାଡ଼ ଖାଇପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି ।
ହଲ୍‌ ଚାଲୁନଥିବାରୁ କେତେକ ହଲ୍‌ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲାବେଳେ ଅଧିକା˚ଶ ହଲ୍‌ର କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଯେଉଁ ହଲ୍‌ମାନଙ୍କରେ କର୍ମଚାରୀ ଅଛନ୍ତି, ସେଠାରେ ପ୍ରଦର୍ଶନ କରିବା ପାଇଁ ସିନେମା ନାହିଁ । ମୁମ୍ବାଇ, ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ଦିଲ୍ଲୀ, କୋଲକାତା ଇତ୍ୟାଦି ସ୍ଥାନରେ ବଲିଉଡ୍‌ ପାଇଁ ବଡ଼ ବଜାର ଥିଲେ ବି ସେଠାରେ ଏପର୍ଯ୍ୟନ୍ତ ସ୍ବଭାବିକ ସ୍ଥିତି ହୋଇପାରିନି । ତେଣୁ ଓଡ଼ିଶାରେ କିପରି ସିନେମା ଶିଳ୍ପ ଚାଲିବ ତାହା ଚିନ୍ତାର ପ୍ରସଙ୍ଗ ହୋଇଛି । ଯେ ପର୍ଯ୍ୟନ୍ତ ବଲିଉଡ୍‌ର କୌଣସି ସିନେମା ମୁକ୍ତିଲାଭ ପାଇଁ ଘୋଷଣା ହୋଇନାହିଁ, ଏଠାରେ ହଲ୍‌ ଖୋଲି ଦେଲେ କିଛି ହେବନି । ସେହିପରି ଓଡ଼ିଆ ସିନେମାରେ ମାତ୍ର ହାତଗଣତି କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟ ଅଭିନେତାଙ୍କ କ୍ରେଜ୍‌ ନାହିଁ । ଯଦିଓ ଏବେବି କିଛି ପ୍ରଯୋଜକ କେତୋଟି ସିନେମା ସୁଟି˚ କରିସାରି ହାତରେ ଧରି ବସିଛନ୍ତି, କିନ୍ତୁ ସେମାନଙ୍କ ସିନେମା ମୁକ୍ତିଲାଭ କଲେ ବ୍ୟବସାୟକୁ ଉତ୍ସାହ ଦେବାଭଳି ସୁଯୋଗ ଆସିବା ସମ୍ଭାବନା କମ ।ସାଗର ସଙ୍ଗମ ହଲ୍‌ର ପ୍ରୋପ୍ରାଇଟର ରାଜକିଶୋର ପ୍ରଧାନଙ୍କ ମତରେ ଭାରତରେ ଯେତିକି ସିନେମାକୁ ନେଇ ହଲ୍‌ ବ୍ୟବସାୟ ହେଉଛି, ସେଥିରେ ଓଡ଼ିଶା ମାତ୍ର ୧ପ୍ରତିଶତ ବେପାର କରୁଛି । ତେଣୁ ବଡ଼ ସହରମାନଙ୍କରେ ହଲ୍‌ ନଖୋଲିବା ଯାଏଁ ଓଡ଼ିଶାରେ କେହି ହଲ୍‌ ଖୋଲିପାରିବେନି । ତଥାପି ମାର୍ଚ୍ଚ ବେଳକୁ ସ୍ଥିତିରେ ସୁଧାର ଆସିପାରେ । କାରଣ ସେତେବେଳକୁ କିଛି ବଲିଉଡ୍‌ ସିନେମା ରିଲିଜ ହେବା ତାରିଖ ରହିଛି । ଅନ୍ୟ ରାଜ୍ୟମାନଙ୍କରେ ଯାହାବି ଖୋଲଯାଇଥିଲା, ମାତ୍ର ୧୦/୧୨ଜଣ ଲୋକ ହେବାରୁ ହଲ୍‌କୁ ପୁଣି ବନ୍ଦ କରିବାକୁ ପଡ଼ିଲା । ଓଡ଼ିଶାରେ ମଧ୍ୟ ଯେପର୍ଯ୍ୟନ୍ତ ସ୍କୁଲ୍‌, କଲେଜ ଖୋଲା ନହୋଇଛି ବେପାର ଭଲ ହେବନି । କାରଣ ପୁଅ-ଝିଅମାନେ ଏକାଠି ହୋଇ ହଲ୍‌କୁ ଅଧିକ ଆସନ୍ତି । ତେଣୁ ହଲ୍‌ ଖୋଲିବାକୁ କହିଦେଲେ ହେବନି, ତା’ ପରର ଅବସ୍ଥା ବିଷୟରେ ବି ଚିନ୍ତା କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ବୃନ୍ଦାବନ ହଲ୍‌ର ମ୍ୟାନେଜର ଦିଲ୍ଲୀପ କୁମାର ପାତ୍ରଙ୍କ ମତରେ, ଆମେ ୫୦ ପ୍ରତିଶତ ଦର୍ଶକରେ ହଲ୍‌ ଚଲାଇବାକୁ ରାଜି ଅଛୁ । କିନ୍ତୁ ହଠାତ୍‌ ଚଲାଇବାକୁ ସିନେମା ନାହିଁ । ଭଲ ସିନେମା ନଆସିଲେ ଉତ୍ସାହଜନକ ଦର୍ଶକ ହେବେନି । ତେଣୁ ବଡ଼ ଷ୍ଟାର‌୍‌ ଓ ଭଲ ବ୍ୟାନରର ସିନେମା ହେଲେ ହିଁ ହଲ୍‌ ବ୍ୟବସାୟ ଚାଲିବ ବୋଲି ସେ କହିଛନ୍ତି ।

Exit mobile version