

ସତ୍ୟଶିଖା (ନୂଆଦିଲ୍ଲୀ ) ୦୮ /୦୯ /୨୦୨୧: କରୋନା ମହାମାରୀର ୨ୟ ଲହର ଝଟ୍କା ପରେ ବି ଭାରତୀୟ କମ୍ପାନୀମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଏକ ସର୍ଭେରୁ କୁହାଯାଇଛି ଯେ, ମହାମାରୀ ଝଟ୍କା ପରେ ବି ଭାରତୀୟ କମ୍ପାନୀମାନେ ନିଜ କର୍ମଚାରୀଙ୍କ ଦରମା ୮.୮ ପ୍ରତିଶତ ବୃଦ୍ଧି କରିବେ । ସେହିପରି ଆସନ୍ତା ବର୍ଷରେ ଦରମା ବୃଦ୍ଧି ୯.୪ ପ୍ରତିଶତ ରହିବ । ମଙ୍ଗଳବାର ଦିନ ଏଓନ୍ର ୨୬ତମ ବାର୍ଷିକ ବେତନ ବୃଦ୍ଧି ସର୍ଭେ ଅନୁସାରେ, ୨୦୨୨ରେ ଅଧିକାଂଶ କମ୍ପାନୀ ଏନେଇ ଆଶାବାଦୀ ଅଛନ୍ତି । ଆସନ୍ତା ବର୍ଷ ୯୮.୯ ପ୍ରତିଶତ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିବେ। ଏଥି ସହିତ, ୨୦୨୧ରେ ୯୭.୫ ପ୍ରତିଶତ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧି କରିବାକୁ କହିଛନ୍ତି।
ସର୍ଭେରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ବିଭିନ୍ନ କ୍ଷେତ୍ରରେ ଦୁର୍ବଳ ହୋଇଥିବା କମ୍ପାନୀଗୁଡ଼ି ଏବେ ଧୀରେ ଧୀରେ ଛିଡା ହେବାକୁ ଲାଗିଛନ୍ତି । ଅଧିକାଂଶ କମ୍ପାନୀ ୨୦୨୧-୨୨ରେ ଦରମା ବୃଦ୍ଧି ୨୦୧୮-୧୯ ସ୍ତରରେ ହେବ । ଜଣେ ବ୍ୟବସାୟୀ କହିଛନ୍ତି ଯେ, ପୂର୍ବ ଅପେକ୍ଷା ଏବେ ସ୍ଥିତିରେ ସୁଧାର ଆସୁଛି । ୨୦୨୦ରେ ଦରମା ବୃଦ୍ଧି ୬.୧ ପ୍ରତିଶତ ରହିଥିଲା । ତେବେ ୨୦୨୧ରେ ୮.୮ ପ୍ରତିଶତ ତଥା ୨୦୨୨ରେ ୯.୪ ପ୍ରତିଶତ ବୃଦ୍ଧି ହୋଇପାରେ । ଏହା ୨୦୧୮-୧୯ରେ ପ୍ରାକ୍ ମହାମାରୀ ସ୍ତର ସହିତ ବରାବର ରହିବ ।
ସେହିପରି ମହାମାରୀ ସମୟରେ ଡିଜିଟାଲ କାରବାର ବହୁତ ଅଧିକ ହୋଇଛି । ସ୍ୱଳ୍ପ ସମୟ ମଧ୍ୟରେ ନୂତନ ନୂତନ ଡ଼ିଜିଟାଲ ପ୍ରତିଭା ପାଇଁ ଏବେ ଲଢେଇ ସୃଷ୍ଟି ହୋଇଛି । ଏଥିରୁ ଦରମା ବଜେଟ୍ ବୃଦ୍ଧି ପାଇବା ସହ ବିଭିନ୍ନ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ହେଉଛି । ସମୟ ଗଡିବା ସହ କମ୍ପାନୀମାନେ ନିଜ ନିଜର ରଣକୌଣଳ ବୃଦ୍ଧି କରିବାରେ ଲାଗିଛନ୍ତି । ଯାହାଦ୍ୱାର ଏବେ କମ୍ପାନୀରେ ନିବେଶ ବୃଦ୍ଧି ପାଇବ ।