ସତ୍ୟଶିଖା(ନୂଆଦିଲ୍ଲୀ) ୦୬ .୦୫.୨୦୨୧:କରୋନା ରୋଗୀଙ୍କ ଠାରେ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ବିଶେଷକରି ଅନିୟନ୍ତ୍ରିତ ମଧୁମେହ, କିଡନୀ, ଉଚ୍ଚ ରକ୍ତଚାପ ଓ ମେଦବହୁଳତା ରହିଥିବା ଲୋକମାନେ ଏବେ ନୂତନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅହମ୍ମଦାବାଦରେ ଚିହ୍ନଟ ହୋଇଥିବା ୬୦ ଜଣ କାରୋନା ରୋଗୀ ମ୍ୟୁକୋରମାଇକୋସିସ୍ (ଫଙ୍ଗଲ୍ ଇନଫେକ୍ସନ) ନାମକ ମାରାତ୍ମକ ରୋଗରେ ପୀଡିତ ହେଉଛନ୍ତି। ଏମାନଙ୍କ ମାଧରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଦୃଷ୍ଟିଶକ୍ତି ହରାଇଛନ୍ତି।
ଖବର ଅନୁଯାୟୀ ମ୍ୟୁକୋରମାଇକୋସିସ୍ ଆଖିକୁ ଅଧିକ ପ୍ରଭାବିତ କରିଥାଏ। ଠିକ୍ ସମୟରେ ଚିକିତ୍ସା ନ ହେଲେ ଦୃଷ୍ଟିଶକ୍ତି ଚାଲିଯାଇଥାଏ। ଏହି ସଂକ୍ରମଣର ଶିକାର ହୋଇ ଏବେ ପ୍ରତିଦିନ ୩-୪ ଜଣ ରୋଗୀ ଅହମ୍ମଦାବାଦର ସିଭିଲ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଡାକ୍ତରଙ୍କ କହିଛନ୍ତି ମଧୁମେହ ରୋଗୀଙ୍କଠାରେ କୋଭିଡ କାରଣରୁ ଫଙ୍ଗଲ ସଂକ୍ରମଣ ହୁଏ। ଏହା ସାଧାରଣତ ନାକରୁ ଆରମ୍ଭ ହୋଇ ନାକ ହାଡ ଓ ଆଖିକୁ ନଷ୍ଟ କରିପାରେ। ଏହିପରି ରୋଗୀମାନଙ୍କଠାରେ ଯଦି ନାକରେ ଫୁଲା ହୁଏ କିମ୍ବା ଆଖି ଅଧିକ ଯନ୍ତ୍ରଣା ହୁଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଯଦି ଅଧିକ ଦିନ ଏହା ଲାଗିରହେ ତେବେ ମସ୍ତିଷ୍କରେ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଥାଏ।