

ସତ୍ୟଶିଖା(ଭୁବନେଶ୍ୱର ) ୨୪.୦୮ .୨୦୨୧: ପକୁଡି, ପୁରୀ ହେଉ ଅବା କୌଣସି ଛଣାଛଣି ଜିନିଷ, ଏସବୁ ତିଆରି କଲା ବେଳେ ସେଥିରୁ ବଳିଯାଉଥିବା ତେଲକୁ ସାଇତି କରି ରଖାଯାଏ। ତେଲ ନଷ୍ଟ ନକରିବାକୁ ଯାଇ ଏହି ତେଲକୁ ପୁଣି ଥରେ ଅନ୍ୟ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ। ତେବେ ଛଣା ତେଲକୁ ଏଭଳି ବ୍ୟବହାର କରିବା ଆଦୌ ଠିକ୍ ନୁହେଁ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଘୋର ଭୟଙ୍କର। ରିୟୁଜ୍ ତେଲକୁ ପୁଣି ଥରେ ବ୍ୟବହାର କରିବା ଗୁରୁତର ରୋଗକୁ ଡାକି ଆଣିପାରେ। ଏକ ଅଧ୍ୟୟନ ଅନୁଯାୟୀ, ରନ୍ଧନ ତେଲକୁ ପୁଣି ଥରେ ଗରମ କରିବା ଦ୍ୱାରା ସେଥିରୁ ବିଷାକ୍ତ ପଦାର୍ଥ ବାହାରିଥାଏ। ଏହି ରିୟୁଜ୍ ତେଲକୁ ଖାଇବା ଫଳରେ ଶରୀରରେ ଫ୍ରିରେଡିକାଲ ବଢ଼ିଥାଏ। ରୋଗ ଆଶଙ୍କା ବଢ଼ିବା ସହ ଶରୀରର ଅନକ ଅଂଶରେ ଯନ୍ତ୍ରଣା ତଥା ହାତଗୋଡ ଫୁଲିବା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(FSSAI)ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଛଣା ତେଲକୁ ପୁନଃ ବ୍ୟବହାର କରିବା ଉଚିତ୍ ନୁହେଁ। ଟ୍ରାନ୍ସ ଫ୍ୟାଟ ଏଡାଇବା ପାଇଁ ଆପଣ ଚାହିଁଲେ ଏହାକୁ ମାତ୍ର ତିନିଥର ବ୍ୟବହାର କରିପାରିବେ। ଯଥାସମ୍ଭବ ତେଲକୁ ବାରମ୍ବାର ଗରମ କରିବା ଏବଂ ପୁନଃ ବ୍ୟବହାର କରିବା ଠାରୁ ବଞ୍ଚିବା ଉଚିତ।