
ସତ୍ୟଶିଖା (ଭୁବନେଶ୍ୱର) ୦୩/୦୨/୨୦୨୧ : ଅବିକଳ ବ୍ରାଣ୍ଡେଡ୍ କମ୍ପାନିର ଥଣ୍ଡା ପାନୀୟ ବୋତଲ ପରି ଦିଶୁଛି । ଏକା ପ୍ରକାରର ଡିଜାଇନ୍, ଖାଲି ନାଁ ସାମାନ୍ୟ ବଦଳାଇ ଦିଆଯାଇଛି । ଟିକିଏ ନିରେଖି ନ ଦେଖିଲେ ଯେ କେହି ଠକାମିର ଶିକାର ହୋଇଯିବ, ବ୍ରାଣ୍ଡେଡ୍ କମ୍ପାନିର କୋଲ୍ଡ ଡ୍ରିଙ୍କ୍ସ ଭାବି ପିଇଯିବ । ହେଲେ ଭିତରେ କିନ୍ତୁ ବିଷ । ନିୟମିତ ପିଇଲେ ହେବ ଅଲସର୍ ଓ କ୍ୟାନ୍ସର ଭଳି ଦୁରାରୋଗ୍ୟ ବ୍ୟାଧି । ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଭିତରେ ବେଆଇନ ଭାବରେ ଏଭଳି ନକଲି ଥଣ୍ଡା ପାନୀୟ ପ୍ରସ୍ତୁତ କରୁଥିବା ଏକ କାରଖାନା ‘ଡିଫେନ୍ସ’ ଠାବ ହେବା ପରେ ଏହାକୁ ଆଜି ସିଲ୍ କରିଛି କମିସନରେଟ୍ ପୁଲିସ । ଏହି ନକଲି ସଂସ୍ଥାକୁ ସ୍ପେସାଲ ସ୍କ୍ବାଡ୍ ଚଢ଼ଉ କରି ବିପୁଳ ପରିମାଣର ନକଲି ଥଣ୍ଡା ପାନୀୟ ସମେତ ମେସିନ୍ ଓ କଞ୍ଚାମାଲ୍ ଜବତ କରିଛି । ଜବତ ସାମଗ୍ରୀ ଓ ମେସିନ୍ର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ବେଶି ହେବ । ଏହା ସହିତ ସଂସ୍ଥାର ମାଲିକ ସମେଇଗାଡ଼ିଆର ଶ୍ରୀପତି ବେହେରାଙ୍କୁ ମଞ୍ଚେଶ୍ୱର ଥାନା ପୁଲିସକୁ ହସ୍ତାନ୍ତର କରିଛି ସ୍ପେସାଲ୍ ସ୍କ୍ବାଡ୍ । ସେ ଦୁଇବର୍ଷ ଏହି ବେପାର କରୁଥିବା ଏସ୍ଆଇ ଷ୍ଟାଲିନ ବିଶ୍ୱାଳ ସୂଚନା ଦେଇଛନ୍ତି ।ଏହି କାରଖାନାରେ କେବଳ ଥଣ୍ଡା ପାନୀୟ ନୁହେଁ, ନକଲି ଗ୍ଲୁକୋଜ୍ ଓ ସୋଡ଼ା ମଧ୍ୟ ତିଆରି ହେଉଥିଲା । ଏ ସବୁ ରାଜ୍ୟର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଯୋଗାଣ ହେଉଥିଲା । ବିଶେଷକରି ଗ୍ରାମାଞ୍ଚଳରେ ଥିବା ଦୋକାନଗୁଡ଼ିକୁ ଟାର୍ଗେଟ୍ କରାଯାଉଥିଲା । କମ୍ ଖର୍ଚ୍ଚରେ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କଠାରୁ ବ୍ରାଣ୍ଡେଡ୍ ଥଣ୍ଡା ପାନୀୟର ଦର କଷା ଯାଉଥିଲା । ଗ୍ରାହକ ଭରସା କରି ବିଷ ପିଉଥିଲେ । ଏ ନେଇ ଖବର ପାଇବା ପରେ ସ୍ପେସାଲ ସ୍କ୍ବାଡ୍ ଏସିପି ସଞ୍ଜୀବ ଶତପଥୀ ସଦଳବଳ ଚଢ଼ଉ କରିଥିଲେ । ବିଏମ୍ସି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ରଙ୍କ ସହଯୋଗରେ ଏହି ପାନୀୟର ମାନ ଯାଞ୍ଚ କରାଯାଇଥିଲା । ପାନୀୟଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଥିଲା ବୋଲି ଜଣା ପଡ଼ିଥିଲା । ଏଭଳି ପାନୀୟ ପ୍ରସ୍ତୁତି ପାଇଁ କୌଣସି ସରକାରୀ ସ୍ବୀକୃତି ବି ନଥିଲା । ଏଣୁ କାରଖାନାକୁ ସିଲ୍ କରାଯାଇଛି ଏବଂ ଜବତ ପାନୀୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବରେଟାରି ପଠାଯାଇଛି । ଏହି ଚଢ଼ଉ ଖବର ଶୁଣି ବିଭିନ୍ନ ଗ୍ରମାଞ୍ଚଳରେ ନେଇ ବେପାର କରୁଥିବା ପେବାରୀ ଭୟରେ ନକଲି ପାନୀୟକୁ ଲୁଚାଇ ଦେଇଥିବା ଖବର ମିଳିଛି ।
ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଭିତରେ ଯେଉଁ ନକଲି କାରଖାନା ଚାଲିଥିଲା; ଏଥିରେ ଥମ୍ସ ଅପ୍ ବ୍ରାଣ୍ଡ ଭଳି ଅବିକଳ ଦିଶୁଥିବା ‘ଦମ୍ସ ଅନ୍’, ସ୍ପ୍ରାଇଟ୍ ଭଳି ଦିଶୁଥିବା ‘ସ୍ପ୍ରାଇଡ୍’, ଲିଚି, ଅରେଞ୍ଜ, ଗ୍ଲୁକୋଜ୍, ସୋଡ଼ା ପ୍ରଭୃତି ତିଆରି ହେଉଥିଲା । ୨ଶହ ମିଲିଗ୍ରାମ୍ ଠାରୁ ଆରମ୍ଭ କରି ୨ ଲିଟର ପର୍ଯ୍ୟନ୍ତ ପରିମାଣର ବୋତଲ ରହିଥିଲା । ଏସବୁ ପ୍ରସ୍ତୁତ କରିବା ପାଇଁ କଞ୍ଚାମାଲ୍ ଭାବେ ସୋଡ଼ା, ଗ୍ୟାସ୍, କୋଲ୍ଡ ଡ୍ରିଙ୍କ୍ସ୍ ଭଳି ବାସ୍ନା ହେବା ପାଇଁ ଏସେନ୍ସ ସହ ବିଭିନ୍ନ ମାପର ପ୍ଲାଷ୍ଟିକ୍ ବୋତଲ, ଲେବେଲ୍ ଆଦି ବିପୁଳ ପରିମାଣରେ ଗଚ୍ଛିତ ରଖାଯାଇଥିଲା । ଆଜି ଜବତ ହୋଇଥିବା କୋଲ୍ଡଡ୍ରିଙ୍କ୍ସର ପରିମାଣ ଶହେ ଲିଟର ହେବ । ପୂର୍ବରୁ ଏହି ଅଞ୍ଚଳରରେ ଏକ ନକଲି ଖାଇବା ତେଲ କାରଖାନା ଠାବ ହୋଇଥିଲା । ଲକ୍ଷ୍ମୀସାଗର ଅଞ୍ଚଳରେ ମଧ୍ୟ ଏକ ନକଲି ତେଲ କାରଖାନା ସିଲ୍ ହୋଇଥିଲା । ଏୟାରଫିଲ୍ଡ ଅଞ୍ଚଳରେ ମଧ୍ୟ ନକଲି ଘିଅ କାରଖାନା ଠାବ ହୋଇଥିଲା ।