

ସତ୍ୟଶିଖା,(ଭୁବନେଶ୍ୱର) ୨୪ .୦୩ .୨୦୨୧ : ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧିନିୟମ ୧୯୬୮ରେ ସଂଶୋଧନ ହୋଇଛି। ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରସ୍ତାବ ଉପରେ ସରକାର ମୋହର ଲଗାଇଛି କ୍ୟାବିନେଟ।
ସୂଚନା ଅନୁଯାୟୀ ସମୟ ଭିତ୍ତିକ ଚୁକ୍ତି ହିସାବରେ ପ୍ରଦାନ କରାଯାଇଥିବା ଜମିରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୧୦ଟି ଓ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ୭ଟି ଗୃହ ନିର୍ମାଣ ପ୍ରକଳ୍ପ କରିଛନ୍ତି। ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁ ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ଵ ବିଭାଗ ଏ ଦୁଇଟି ସଂସ୍ଥା ଉପରେ ଅତିରିକ୍ତ ସୁଧ ନିର୍ଦ୍ଧାରଣ କରିଛନ୍ତି। କିନ୍ତୁ ପ୍ରକଳ୍ପ ଦଶନ୍ଧି ପୂର୍ବରୁ ସମ୍ପାଦିତ ହୋଇ ବାସଗୃହ ଗୁଡ଼ିକର ବିକ୍ରି ଓ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇସାରିଛି। ଅତିରିକ୍ତ ସୁଧ ବର୍ତ୍ତମାନ ପରିପ୍ରେକ୍ଷୀରେ ପରିଶୋଧ କରିବା ସମ୍ଭବ ନୁହେଁ। ବାସଗୃହ ଗୁଡିକର ଗ୍ରହୀତାମାନେ ଅର୍ଥ ପ୍ରଦାନ ସତ୍ତ୍ୱେ ଚୁକ୍ତି ରାଜିନାମା ସଂପାଦିତ ହୋଇନଥିବାରୁ ଅସନ୍ତୋଷ ବଢ଼ୁଥିଲା।
ସେଥିପାଇଁ ରାଜ୍ୟ ସରକାର ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁଁ ନିର୍ଦ୍ଧାରିତ ସୁଧରାଶି ୨୯୧୫.୪୭ଲକ୍ଷ ଟଙ୍କା ଛାଡ଼ କରିଛନ୍ତି। ତେବେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଗୃହ ହସ୍ତାନ୍ତରୀକରଣ ବା ଆବଣ୍ଟନ ସମୟରେ ବକେୟା ରହିଥିବା ଭୂମି ପ୍ରିମିୟମ ପରିଶୋଧ କରିବେ। ଏହି କାରଣରୁ ଏ ଦୁଇ ସଂସ୍ଥା ଦ୍ଵାରା ହୋଇଥିବା ୧୭ଟି ପ୍ରକଳ୍ପର ୨୮୦୩ ଜଣ ଗ୍ରହୀତା ଉପକୃତ ହେବେ। ଦୀର୍ଘଦିନ ଧରି ସଂପାଦନ ହୋଇପାରୁନଥିବା ଚୁକ୍ତି ରାଜିନାମା ସମସ୍ୟା ସମାଧାନ ହେବ ବୋଲି କୁହାଯାଇଛି।
ସେହିପରି ଓଡ଼ିଶା ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି ମୁତାବକ ଅର୍ଥନୈତିକ ଅନଗ୍ରସର ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ଗୃହର କାର୍ପେଟ୍ କ୍ଷେତ୍ରର ଆୟତ୍ତନ ଅନ୍ତତଃ ୨୧ବର୍ଗମିଟର ରହିବା ଆବଶ୍ୟକ। ଯଦି କୌଣସି ବସ୍ତିବାସିନ୍ଦାଙ୍କୁ ୩୦ ବର୍ଗମିଟରରୁ କମ୍ ଜମି ଦିଆଯାଏ ତେବେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ଅନ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହେବେ। ତେଣୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ଅନ୍ୟୂନ ୩୦ ବର୍ଗମିଟର ଜମି ଉପରେ ବସ୍ତିବାସିନ୍ଦାଙ୍କୁ ଅଧିକାର ପ୍ରଦାନ କରାଯାଇପାରିବ। ଯଦି ଦଖଲ ଜମି ୩୦ ବର୍ଗମିଟରରୁ କମ୍ ହୁଏ, ତେବେ ଦଖଲ ଜମି ସଂଲଗ୍ନ ଅଞ୍ଚଳକୁ ମିଶାଇ ୩୦ ବର୍ଗ ମିଟର ଦିଆଯିବ।
ଏହାବ୍ୟତୀତ ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଚାହିଦା ବୃଦ୍ଧିପାଇଥିବାରୁ ସଂସ୍ଥାର ପୁର୍ନବିନ୍ୟାସ ଓ ସଶକ୍ତିକରଣ ଅପରିହାର୍ଯ୍ୟ ବୋଲି ଦର୍ଶାଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।