ନ୍ୟୁଜ୍ରାଜ୍ୟ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ମାମଲା : ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନୋଟିସ୍

ସତ୍ୟଶିଖା(କଟକ) ୨୩.୧୧.୨୦୨୧:  ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିୟମାବଳୀକୁ ବିରୋଧ କରି ଆଗତ ଏକ ମାମଲାରେ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିସନଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହି ମାମଲାରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ବୀରେନ୍ଦ୍ର ଦାସଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଏସ୍‌. ମୁରଲୀଧର୍ ଓ ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗରେ ପଞ୍ଚାୟତିରାଜ ସଚିବ ଗତ ଅକ୍ଟୋବର ୧ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଉକ୍ତ ନିର୍ଦ୍ଦେଶନାମା ଅନୁସାରେ ପ୍ରତ୍ୟେକ ଜିଲ୍ଲାପାଳଙ୍କ ଅଧୀନରେ ୱାର୍ଡ, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତ ଆସନ ସଂରକ୍ଷଣ ପାଇଁ ଆଦେଶ ଦିଆଯାଇଥିଲା । ଗ୍ରାମ, ପଞ୍ଚାୟତ, ବ୍ଲକ, ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଜନସଂଖ୍ୟାକୁ ଭିତ୍ତି କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ ବୋଲି କୁହାଯାଇଥିଲା ।

ସଂରକ୍ଷଣ ପ୍ରସଙ୍ଗରେ ଗତ ଚାରିଟି ନିର୍ବାଚନକୁ ବିଚାରକୁ ନିଆଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା । ତେବେ ଏପରି ବିଜ୍ଞପ୍ତିକୁ ବେଆଇନ ବୋଲି ଦର୍ଶାଯାଇ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ଏହାର ଶୁଣାଣି କରି ଉପରୋକ୍ତ ଆଦେଶ ପ୍ରଦାନ କରିବା ସହ ଆସନ୍ତା ଡିସେମ୍ବର ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ପରିଚାଳନା କରୁଛନ୍ତି ।

Show More
Back to top button