

ସତ୍ୟଶିଖା(ଭୁବନେଶ୍ୱର ) ୨୪.୦୧.୨୦୨୨ : ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ପ୍ରାର୍ଥୀପତ୍ର ଯାଞ୍ଚବେଳେ ମାତ୍ର ୮ହଜାର ୬ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟିଯାଇଛି। ତାମଧ୍ୟରୁ ସରପଞ୍ଚ ପଦବୀ ପାଇଁ ୩୨ ହଜାର ୮୬୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଥିବାବେଳେ ୱାର୍ଡ ସଭ୍ୟ ପଦବୀ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ଜଣଙ୍କ ନାମାଙ୍କନ ପତ୍ର କାଏ ରହିଛି।
ତେବେ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ସେହି ୨୫ ତାରିଖରେ ହିଁ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଅର୍ଥାତ ସେହିଦିନ ହିଁ ସ୍ପଷ୍ଟ ହେବ, ରଣାଙ୍ଗନରେ କେତେ ପ୍ରାର୍ଥୀ ଓ ପ୍ରାର୍ଥିନୀ ରହିଲେ।
ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ ତାରିଖରେ ହେବ। ସେହିପରି ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ସହ ଫେବୃଆରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ।
ସୂଚନାଯୋଗ୍ୟ, ଚଳିତଥର ତ୍ରିସ୍ତରୀୟ ପଂଚାୟତରେ ମୋଟ ୯୧୯୧୩ଜଣ ୱାର୍ଡମେମ୍ବର, ୬୭୯୪ଜଣ ସରପଂଚ, ୬୭୯୩ଜଣ ପଂଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।