

ସତ୍ୟଶିଖା( ପଦ୍ମପୁର/ଭୁବନେଶ୍ୱର )୨୬.୧୧.୨୦୨୨: ପଦ୍ମପୁର ଉପନିର୍ବାଚନରେ ବିଜେପି ପାର୍ଥୀ ପ୍ରଦିପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ପାଇଁ ନଭେମ୍ବର ୨୭ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସୁଛନ୍ତି। ସେମାନେ ନଭେମ୍ବର ୨୭ ତାରିଖ ଦିନ ସକାଳ ୧୧ଟାରେ ସେମାନଙ୍କର ନିର୍ବାଚନ ସଭା କରିବେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।
ସେହିଭଳି ଆଜି ପଦମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରେ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସୁଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ ଆଜି ଝାରବନ୍ଧ ବ୍ଲକର ବିଳାସପୁର ଗ୍ରାମ ପଂଚାୟତରେ ସକାଳ ୧୧ଟାରେ ନିର୍ବାଚନୀ ସଭା କରିବେ। ଏହା ପରେ ସମ୍ବିତ ପାତ୍ର କୁମୀର ଓ ଜଗଦଳପୁରରେ ଆଉ ଦୁଇଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି, ପଦ୍ମପୁର ଉପନିର୍ବାଚନରେ ବିଜେପି ସପକ୍ଷରେ ଭୋଟରଙ୍କ ମନ ଢଳୁଛି। ପଦ୍ମପୁର ଲୋକମାନଙ୍କ ପ୍ରତି ଶାସକ ବିଜୁ ଜନତା ଦଳ କରିଥିବା କ୍ରମାଗତ ଅବହେଳା ବିରୋଧରେ ଲୋକମାନେ ସ୍ୱର ଉଠାଇଲେଣି। କେନ୍ଦ୍ରରେ ବିଜେପି ସରକାର ପଦ୍ମପୁରର ଅନେକ ମୌଳିକର ସମାଧାନ କରିବା ପାଇଁ ଚେଷ୍ଟା କରିଛି। ରାଜ୍ୟ ସରକାରଙ୍କର ଅପାରଗତା ଓ ବୀମା କମ୍ପାନୀମାନଙ୍କ ସହିତ ମଧୁଚନ୍ଦ୍ରିକା କାରଣରୁ ଫସଲ ବୀମା ଯୋଜନାରେ ଚାଷୀମାନେ ସେମାନଙ୍କର ନ୍ୟାର୍ଯ୍ୟ ହକରୁ ବଂଚିତ ହେଉଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ହସ୍ତକ୍ଷେପ ଏହାର ସମାଧାନ ହେଲା, ଚାଷୀମାନଙ୍କୁ ବୀମା ଅର୍ଥ ମିଳିଲା। ସେହିଭଳି ପଦ୍ମପୁରରେ ରେଳ ଚାଲିବା ପାଇଁ ଥିବା ବହୁତ ଦିନର ଦାବିକୁ କେନ୍ଦ୍ର ସରକାର ୨୦୨୧ରେ ଅନୁମୋଦନ ଦେଇସାରିଥିବା ବେଳେ ରାଜ୍ୟ ସରକାର ଜମି ଯୋଗାଇ ନଦେବା ପାଇଁ ପ୍ରକଳ୍ପ କାମ ଆଗେଇ ପାରୁନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।