ଅପରାଧନ୍ୟୁଜ୍ରାଜ୍ୟ

ନକଲି ଡାକ୍ତର ଗିରଫ ମାମଲା: କରୋନା ଚିକିତ୍ସାକେନ୍ଦ୍ର ଖୋଲିଥା’ନ୍ତେ

ସତ୍ୟଶିଖା( ଭୁବନେଶ୍ୱର )୨୬.୦୨.୨୦୨୨ : ନକଲି ଡାକ୍ତର ରମେଶ କୁମାର ସ୍ୱାଇଁଙ୍କ କଳାକାରନାମା ଧିରେଧିରେ ପଦାକୁ ଆସୁଛି । ସେ ଖାଲି ମହିଳାଙ୍କୁ ବିବାହ କରି ଠକିନଥିଲେ । ବରଂ କୋଭିଡ୍ ହସ୍ପିଟାଲ ଖୋଲିବାକୁ ଚେଷ୍ଟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଦେଶରେ କରୋନା ସଂକ୍ରମଣ ହୁ’ହୁ ହୋଇ ବଢୁଥିବାବେଳେ ରମେଶ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୋଲି ଲୋକଙ୍କୁ ଚୂନ ଲଗାଇବାକୁ ଯୋଜନା କରିଥିଲେ । ଏନେଇ ସେ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ । ତାଙ୍କୁ କୋଭିଡ୍ ଚିକିତ୍ସା ପାଇଁ ସମସ୍ତ ସରଞ୍ଜାମର ତାଲିକା ପଠାଇଥିଲେ । ସେହି ତାଲିକା ଅନୁସାରେ ସରଞ୍ଜାମ କିଣି ଚିକିତ୍ସାକେନ୍ଦ୍ର କରିବାକୁ ଚେଷ୍ଟା କରିଥିଲେ । ରମେଶଙ୍କ ହ୍ୱାଟ୍ସଆପ୍‌ରୁ ଏଭଳି ସାଙ୍ଘାତିକ ତଥ୍ୟ ପୁଲିସ ହାତରେ ଲାଗିଛି ।

ଅନ୍ୟ ରାଜ୍ୟର ଜଣେ ବ୍ୟକ୍ତି ଓ ରମେଶଙ୍କ ମଧ୍ୟରେ ବାର୍ତ୍ତାଳାପରୁ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୋଲିବାକୁ ପ୍ରସ୍ତୁତି ଚାଲିଥିଲା ବୋଲି ଅନୁମାନ କରାଯାଇଛି । ଏହିଦିଗକୁ ନେଇ ପୁଲିସ ସମ୍ପୃକ୍ତ ବ୍ୟକ୍ତି ସହ ଯୋଗାଯୋଗ କରିଛି । ହେଲେ ସେହି ବ୍ୟକ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ଏଥିସହ ସେ ରମେଶଙ୍କ ବିରୋଧରେ କୌଣସି ଅଭିଯୋଗ ଆଣିନାହାନ୍ତି । ତେବେ ରମେଶ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୋଲିଥିଲେ କି, କେଉଁ କେଉଁ ସ୍ଥାନରେ ଖୋଲିଥିଲେ, ନା ଆଗକୁ ଖୋଲିଥାନ୍ତେ, ଏହିସବୁ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି।

୩ଦିନିଆ ରିମାଣ୍ଡରେ
ରମେଶଙ୍କୁ ପୁଲିସ ୩ଦିନିଆ ରିମାଣ୍ଡରେ ନେଇଛି । ୭ଦିନ ପାଇଁ ଆବେଦନ କରାଯାଇଥିବାବେଳେ  କୋର୍ଟ ୩ଦିନ ପାଇଁ ଅନୁମତି ଦେଇଛନ୍ତି । ଶୁକ୍ରବାର ସକାଳେ ରମେଶଙ୍କୁ ପୁଲିସ ହେପାଜତକୁ ନେଇଛି । ଏହାପରେ ତାଙ୍କୁ ଏକ ସ୍ୱତନ୍ତ୍ର ଟିମ୍ ଘନଘନ ଜେରା କରିଛି । ବିଶେଷକରି ଠକେଇ ଟଙ୍କା ଓ କ୍ଲିନିକ୍ ସମ୍ପର୍କରେ ପୁଲିସ ପଚରାଉଚରା କରୁଛି ।

୧୪ଟି ମାମଲା ରୁଜୁ
ରମେଶଙ୍କ ବିରୋଧରେ ୧୪ଟି ମାମଲା ରୁଜୁ ହୋଇଛି । ମହିଳା ଥାନାରେ ମିଛ କହି ବିବାହ କରି ଠକିବା ନେଇ ୫ଟି, ଖଣ୍ଡଗିରି ଥାନାରେ ୩ଟି ଠକେଇ , ମଙ୍ଗଳାବାଗ ଥାନାରେ ୨ଟି, ଭରତପୁର ଥାନାରେ ୨ଟି, ପାଟକୁରା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ  ଆନ୍ଧ୍ରପ୍ରଦେଶ ରାଜମୁଣ୍ଡ୍ରି ପୁଲିସ ନିକଟରେ ଗୋଟିଏ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି । ରମେଶ ୩ଟି ଉପାୟରେ ଠକେଇ କରିଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ମିଛ କହି ଏକାଧିକ ମହିଳାଙ୍କୁ ବିବାହ କରି ଠକିବା, ଚାକିରୀ ଦେବା ନାଁରେ ଟଙ୍କା ଠକିବା, ନକଲି ଡାକ୍ତର ସାଜି କ୍ଲିନିକ୍ ଖୋଲି ଟଙ୍କା କମେଇବା ଭଳି ସେ ଠକେଇ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଏହିସବୁ ମାମଲା ରୁଜୁ ହୋଇଛି । ଏହିସବୁ ଦିଗକୁ ଧ୍ୟାନ ଦେଇ ପୁଲିସ ତଦନ୍ତ ଚଳାଇଛି ।

ମହିଳା ପୁଲିସଙ୍କୁ ନେଇ ‘ପିଙ୍କ୍ ଟିମ୍‌’
ନକଲି ଡାକ୍ତର ରମେଶଙ୍କ ମାମଲାରେ ତଦନ୍ତ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ ନାଁ ‘ପିଙ୍କ୍‌ଟିମ୍‌’ ରଖାଯାଇଛି । ଏଥିରେ ମହିଳା ଥାନା ଆଇଆଇସି ସନ୍ତୋଷିନୀ ବେହେରା, ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ର, ସାଇବର ଥାନାର ଜଣେ ମହିଳା ଅଧିକାରୀ ଓ ଅନ୍ୟ ମହିଳା ପୁଲିସ ଅଧିକାରୀ ସାମିଲ ଅଛନ୍ତି । ମହିଳାଙ୍କୁ ନେଇ ତଦନ୍ତକାରୀ ଟିମ୍ ଗଠନ କରାଯାଇଥିବାରୁ ଏହାକୁ ‘ପିଙ୍କ୍‌ଟିମ୍‌’ କୁହାଯାଉଛି । ଏହି ଟିମ୍‌କୁ ସ୍ପେଶାଲସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀ ପରିଚାଳନା କରୁଥିବାବେଳେ ଜଣେ ଅତିରିକ୍ତ ଡିସିପି ର‌୍ୟାଙ୍କର ଅଧିକାରୀ ନଜର ରଖିଛନ୍ତି । ଏଥିସହ ଟିମ୍‌ରେ ଜଣେ ଆଇନ ପରାମର୍ଶଦାତା ଓ କାଉନସେଲର୍‌ଙ୍କୁ ସାମିଲ କରାଯାଇଥିବା ସିପି କହିଛନ୍ତି ।

ଦେଢ଼କୋଟିରୁ ଅଧିକ ଠକେଇ
ରମେଶଙ୍କ ଟଙ୍କା କାରବାରର ହିସାବ କରିବା ଲାଗି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ରଖାଯାଇଛି । ଏପର୍ଯ୍ୟନ୍ତ ରମେଶଙ୍କ ବିରୋଧରେ ଦେଢ଼କୋଟିରୁ ଅଧିକ ଠକେଇ ଅଭିଯୋଗ ଆସିଛି । ତେଣୁ ଟଙ୍କା କାରବାର ଦିଗକୁ ନେଇ ପୁଲିସ ତଦନ୍ତ ମଧ୍ୟ କରୁଛି ।  ରମେଶଙ୍କ ଟଙ୍କା କାରବାର ସମ୍ପର୍କରେ ଜାଣିବା ପାଇଁ ପୁଲିସ ବ୍ୟାଙ୍କ ଗୁଡ଼ିକୁ ଚିଠି ଲେଖିଛି । ଆବଶ୍ୟକସ୍ଥଳେ ରାଜ୍ୟବାହାରକୁ ପୁଲିସ ଟିମ୍ ଯିବ ବୋଲି ଜଣାପଡ଼ିଛି ।

Show More
Back to top button