ସତ୍ୟଶିଖା ୨୬/୦୧/୨୦୨୧ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ଏହି ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ଜଣ ସମ୍ମାନିତ ହେବେ ।
ଓଡିଶାରୁ ୬ଜଣ ସମ୍ମାନିତ ହେବେ ପଦ୍ମ ପୁରସ୍କାରରେ । ଗ୍ରାଫିକ୍ସ କଳା କ୍ଷେତ୍ରରେ ଓଡିଶାର ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ । ସେହିଭଳି ଓଡିଶାରୁ ସମାଜସେବା ପାଇଁ ଶାନ୍ତି ଦେବୀ, କଳାପାଇଁ ପୂର୍ଣ୍ଣମାସୀ ଜାନି , ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ । ଏହାଛଡା ମେଡିସିନ ପାଇଁ ଡକ୍ଟର କ୍ରିଷ୍ଣ ମୋହନ ପାଠୀ, ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୁଷଣ ପୁରସ୍କାର । ଓଡିଶାକୁ ଗର୍ବିତ କରିଛନ୍ତି ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ । ସୁଦର୍ଶନ ନିର୍ଜୀବ ପଥର ଦେହରେ ଭରି ଦେଇଥାନ୍ତି ନୂଆ ଜୀବନ । ୧୯୩୯ ମସିହାରେ ଜନ୍ମଲାଭ କରିଥିଲେ, ସୁଦର୍ଶନ ସାହୁ । ୧୯୭୭ରେ ପୁରୀରେ ଆରମ୍ଭ କରିଥିଲେ ସୁଦର୍ଶନ କ୍ରାଫ୍ଟ ମ୍ୟୁଜିୟମ । ୧୯୯୧ରେ ଓଡିଶା ସରକାରଙ୍କ ସହାୟତାରେ ଭୁବନେଶ୍ୱରେ ପ୍ରତିଷ୍ଠା କରିଥିଲେ ସୁଦର୍ଶନ ଆର୍ଟ୍ସ ଆଣ୍ଡ କ୍ରାଫ୍ଟ ଭିଲେଜ୍ । ଏଠାରେ ପଥର, କାଠ ଓ ଫାଇବର ଗ୍ଲାସରୁ କିଭଳି ମୂର୍ତ୍ତି ନିର୍ମାଣ କରାଯିବ ସେହି ପ୍ରଶିକ୍ଷଣ ଦିଆଯାଏ ।
ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ମାଟିର ବର୍ଷିୟାନ ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟି ଦୀର୍ଘ ୭୪ବର୍ଷ ଧରି ଗଛମୂଳେ ଗାଁ ଛୁଆଙ୍କୁ ପାଠ ପଢାଇ ଆସୁଛନ୍ତି । ୩ରୁ ୬ବର୍ଷର ଶିଶୁମାନେ ତାଙ୍କ ଛାତ୍ରଛାତ୍ରୀ । ଆଖପାଖରେ ଚାଟଶାଳୀ ମାଷ୍ଟ୍ରେ ଭାବେ ସେ ପରିଚିତ । ୧୯୩୯ ମସିହାରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ନନ୍ଦ ସାର ପରିବାରର ଆର୍ଥିକ ଦୁସ୍ଥିତି ପାଇଁ ଅଧିକ ପଢିପାରିନଥିଲେ ।