ରାଜ୍ୟ

ଏମ୍‌କେସିଜିରେ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଲୋକାର୍ପିତ : ଉତ୍ପାଦନ କ୍ଷମତା ୨୦ ହଜାର ଲିଟର

ସତ୍ୟଶିଖା( ବ୍ରହ୍ମପୁର) ୨୧ .୦୫.୨୦୨୧: ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ଲିକ୍ବିଡ୍‌ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଲୋକାର୍ପିତ ହୋଇଛି । ୨ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ୍‌ ନିର୍ମାଣ କରାଯାଇଛି। ଏହାର ୨୦ ହଜାର ଲିଟର ଉତ୍ପାଦନ କ୍ଷମତା ରହିଛି । ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଏହାକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ଲାଣ୍ଟ୍‌ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଅକ୍ସିଜେନ୍ ସିଲିଣ୍ଡର୍‌ ଉପରେ ଚାପ କମାଇବା ସହ ଦକ୍ଷିଣ ଓଡ଼ିଶା ଜିଲ୍ଲା ବିଶେଷ କରି ଗଞ୍ଜାମର ଆବଶ୍ୟକତା ପୂରଣ କରିପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ଯେ ରାଜ୍ୟରେ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ପ୍ରତି ଘଣ୍ଟାରେ ଅକ୍ସିଜେନ୍ ଯୋଗାଣ ପରିଚାଳନାକୁ ତଦାରଖ କରାଯାଉଛି। ରାଜ୍ୟରେ ଅକ୍ସିଜେନ୍‌ ପରିଚାଳନାକୁ ଅଧିକ ଦୃଢ଼ କରିବା ପାଇଁ ଅକ୍ସିଜେନ୍ ସିଲିଣ୍ଡର୍‌ କିଣାଯିବା ସହ ଅକ୍ସିଜେନ୍ ଉତ୍ପାଦନ ବ୍ୟବସ୍ଥା କରାଯାଉଛି। ଭବିଷ୍ୟତରେ ଅକ୍ସିଜେନ୍‌ର ଆବଶ୍ୟକତା ଓ ପରିଚାଳନାକୁ ଦୃଷ୍ଟିରେ ରଖି ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। କରୋନା ମହାମାରୀ ମୁକାବିଲାରେ ଲୋକଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ସମସ୍ତେ ଏକାଠି ହୋଇ ଭୂତାଣୁକୁ ନିୟନ୍ତ୍ରଣ କରବା ସହ ପୁଣି ସ୍ବାଭାବିକ ପରିସ୍ଥିତିକୁ ଫେରି ଆସିବା ବୋଲି ସେ ଆଶାପ୍ରକଟ କରିଥିଲେ। ମହାମାରୀକୁ ନିୟନ୍ତ୍ରଣ ପାଇଁ ଗଞ୍ଜାମରେ ଗୋଷ୍ଠୀ ସଂପୃକ୍ତି ଅଧିକ ଥିବାରୁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

Show More
Back to top button