ସତ୍ୟଶିଖା( ଭୁବନେଶ୍ୱର )୦୧.୦୩.୨୦୨୨ : ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍)କୁ ‘ଇଷ୍ଟ କୋଷ୍ଟ ମାରିଟାଇମ୍ ଫୋରମ୍-୨୦୨୨’ର ସପ୍ତମ ସଂସ୍କରଣରେ ବିବିଧ ଲଜିଷ୍ଟିକ୍ କାର୍ଯ୍ୟଧାରାରେ ସଫଳତା ପାଇଁ ‘ବର୍ଷର ଶ୍ରେଷ୍ଠ ଲଜିଷ୍ଟିକ୍ କମ୍ପାନୀ’ ପୁରସ୍କାର ମିଳିଛି । ୨୦୨୨ ଫେବ୍ରୁଆରୀ ୨୪ ତାରିଖରେ କୋଲ୍କାତାରେ ଏହି କାର୍ଯ୍ୟକ୍ରମ ଇଏକ୍ସଆଇଏମ୍ ଇଣ୍ଡିଆ ସିପିଙ୍ଗ୍ ଟାଇମ୍ସ ଦ୍ୱାରା ଆୟୋଜିତ ହୋଇଥିଲା ।
ଓଏସ୍ଏଲ୍ ପକ୍ଷରୁ କମ୍ପାନୀର ଉପସଭାପତି (ମାର୍କେଟିଂ ଆଣ୍ଡ କୋର୍ଡ଼ିନେସନ୍) ଲିଙ୍ଗରାଜ ପାଣିଗ୍ରାହୀ ବରିଷ୍ଠ କାର୍ଯ୍ୟନିର୍ବାହୀ ଦିନେଶ ପରିଡ଼ାଙ୍କ ଉପସ୍ଥିତିରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଡେପୁଟି ଚେୟାରମ୍ୟାନ୍ ଆଶିଷ କୁମାର ବୋଷ, ସିପିଙ୍ଗ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ସିଏମ୍ଡି ହରଜିତ୍ କୌର ଯୋଷୀଙ୍କଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଗ୍ରହଣ କରିଥିଲେ । ଓଏସ୍ଏଲ୍ ମଧ୍ୟ ଚଳିତ ବର୍ଷର ଶ୍ରେଷ୍ଠ ଷ୍ଟିଭେଡର୍ସ କମ୍ପାନୀ ପୁରସ୍କାର ଲାଭ କରିଛି । ଆୟୋଜକ ଇଏକ୍ସଆଇଏମ୍ ଇଣ୍ଡିଆ ସିପିଙ୍ଗ୍ ଟାଇମ୍ସର ବିଚାରକ (ଜୁରୀ)ମାନେ ବହୁ ସଂଖ୍ୟକ କମ୍ପାନୀର ପ୍ରଦର୍ଶନ ଆଧାରରେ ଏହି ଚୟନ କରିଥିଲେ । ଓଏସ୍ଏଲ୍ ଗ୍ରୁପ୍ ପକ୍ଷରୁ ହରିହର ଦାଶ ଏବଂ ସୁବାସ ଆଚାର୍ଯ୍ୟ ଏହି ପୁରସ୍କାର ଗ୍ରହଣ କରିଥିଲେ ।
କମ୍ପାନୀ ଏହି ପୁରସ୍କାର ହାସଲ କରିବା ଅବସରରେ ଓଏସ୍ଏଲ୍ ଗ୍ରୁପ୍ର ଚେୟାରମ୍ୟାନ୍ ମହିମାନନ୍ଦ ମିଶ୍ର କହିଥିଲେ, ‘କମ୍ପାନୀ ସଠିକ୍ ପଥରେ ଅଗ୍ରସର ହେଉଥିବା ଏହି ପୁରସ୍କାର ପ୍ରମାଣିତ କରୁଛି । ଚଳନ୍ତି ବଜାରରେ ଆମେ ଶ୍ରେଷ୍ଠ ମାନ ଏବଂ କାର୍ଯ୍ୟଧାରା ବଜାରୟ ରଖି ଏ କ୍ଷେତ୍ରରେ ସୁନାମ ହାସଲ କରି ଚାଲିବୁ ।’ ସେ ଆହୁରି କହିଥିଲେ, ‘ଆମେ ଆମର ସହଯୋଗୀ ଓ ଲାଭାର୍ଥୀଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିଚାଲିବା ଲାଗି ପ୍ରତିଶ୍ରୁତିବଦ୍ଧ । ଏଥିସହିତ ଆମେ ବିସ୍ତାର, ବିବିଧତା ଏବଂ ମାନୋନ୍ନତି ବଜାୟ ରଖିବୁ ।’ ବିଗତ ଅନେକ ବର୍ଷ ଧରି ଓଏସ୍ଏଲ୍ ଗ୍ରୁପ୍ ବିଭିନ୍ନ ବର୍ଗ ଓ ସେବା କ୍ଷେତ୍ରରେ ଏକାଧିକ ପୁରସ୍କାର ହାସଲ କରିବା ଓଏସ୍ଏଲ୍ର ଦକ୍ଷତା, ପାରଦର୍ଶିତା, ସାମର୍ଥ୍ୟ ଏବଂ ପ୍ରଦର୍ଶନର ସ୍ୱୀକୃତି ବୋଲି ମହିମା ମିଶ୍ର ଏହି ଅବସରରେ ପ୍ରକାଶ କରିଥିଲେ ।