ନ୍ୟୁଜ୍ରାଜ୍ୟ

ଓଡ଼ିଆ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ପରମ ବିଶିଷ୍ଟ ସେବା ମେଡାଲ

ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : ୭୨ ତମ ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସୋମବାର ସେବା ମେଡାଲ ଘୋଷଣା କରାଯାଇଛି । ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଶସ୍ତ୍ର ବାହିନୀର ୪୫୫ ଜଣ ଅଧିକାରୀଙ୍କୁ ଗ୍ୟାଲେଣ୍ଟ୍ରି ଓ ଅନ୍ୟାନ୍ୟ ସମ୍ମାନ ପ୍ରଦାନକୁ ଅନୁମୋଦନ କରିଛନ୍ତି ।  ୩୦ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ସେନାର ଉପମୁଖ୍ୟ ନିଯୁକ୍ତ ହୋଇଥିବା ଓଡ଼ିଆ ସେନା ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ।

ସେହିଭଳି ଗତବର୍ଷ ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ୍‌ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଆ ଯବାନ ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କୁ ମରଣୋତ୍ତର ଭାବେ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ ।

ମୟୂରଭଞ୍ଜ ଜିଲ୍ଲାରେ ଜନ୍ମହୋଇଥିବା ନନ୍ଦୁରାମ ୧୬ ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ । ଚୀନ୍‌ ସେନା ଭାରତୀୟ ଯବାନଙ୍କ କବ୍‌ଜାରେ ଥିବା ଏକ ପୋଷ୍ଟକୁ ଦଖଲ କରିବାକୁ ଉଦ୍ୟମ କରିବା ବେଳେ ଏକ ସୈନ୍ୟଦଳର ନେତୃତ୍ୱ ନେଇ ନନ୍ଦୁରାମ ସେମାନଙ୍କର ଦୃଢ଼ ମୁକାବିଲା କରିଥିଲେ । ଚୀନ୍‌ ସୈନ୍ୟମାନେ ତାଙ୍କୁ ଆକ୍ରମଣ କରିବା ପରେ ସେ ଗୁରୁତର ହୋଇଥିଲେ । ତଥାପି ସେ ଶତ୍ରୁ ସହ ମୁକାବିଲା ଜାରି ରଖିଥିଲେ । କିନ୍ତୁ ଗୁରୁତର ହୋଇଥିବା ନନ୍ଦୁରାମ ପରବର୍ତ୍ତୀ ସମୟରେ ସହିଦ ହୋଇଥିଲେ । ଶତ୍ରୁ ସାମ୍‌ନାରେ ଅତ୍ୟନ୍ତ ସାହସ ଓ ପରାକ୍ରମ ଦେଖାଇଥିବାରୁ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରିବା ଲାଗି ଘୋଷଣା କରାଯାଇଛି ।

Show More
Back to top button