ଓଡ଼ିଆ ଝିଅ ପ୍ରିୟଙ୍କା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ‘ଇଣ୍ଡିଆଜ ଚାର୍ମିଂ ଫେସ୍ ମିସ୍ ଇଣ୍ଡିଆ

ସତ୍ୟଶିଖା (ଭୁବନେଶ୍ୱର) ୦୩/୧୨/୨୦୨୦ : ଓଡ଼ିଆ ଝିଅ ପ୍ରିୟଙ୍କା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ‘ଇଣ୍ଡିଆଜ ଚାର୍ମିଂ ଫେସ୍ ମିସ୍ ଇଣ୍ଡିଆ’ ମୁକୁଟ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଜଟଣୀ ପୌରପରିଷଦ ଅଧୀନସ୍ଥ ଓ୍ବାର୍ଡ ନଂ ୮ ଗୋପବନ୍ଧୁ ନଗରର ବିଭୂତି ମହାପାତ୍ର ଓ ମା’ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ କନ୍ୟା ପ୍ରିୟଙ୍କା ଏହି କୃତିତ୍ବ ହାସଲ ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି ।ଗୋଆର ପଞ୍ଜିମ କଡ଼ମ୍ବାରେ ଫୁଟ୍ ଷ୍ଟେପ୍ ପ୍ରାୟୋଜିତ ମିସ୍ ଇଣ୍ଡିଆ-୨୦୨୦ ପ୍ରତିଯୋଗିତାରେ ଦେଶର କୋଣ ଅନୁକୋଣରୁ ଚୟନ ହୋଇ ଆସିଥିବା ୩୭ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରେ ଓଡ଼ିଶାରୁ ୬ଜଣ ସାମିଲ୍ ହୋଇଥିଲେ । ତେବେ ପ୍ରିୟଙ୍କା ନିଜ ପ୍ରତିଭା ପ୍ରଦର୍ଶନ ପୂର୍ବକ ଚାର୍ମିଂ ଫେସ୍ ମିସ୍ ଇଣ୍ଡିଆ ମୁକୁଟ କରାୟତ୍ତ କରି ନେଇଛନ୍ତି । ପ୍ରିୟଙ୍କା ପିଲାବେଳୁ ସଂଗୀତ ପ୍ରତି ମନ ବଳାଇଥିଲେ । ପଢ଼ିବା ସମୟରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସାଭାଜନ ହୋଇଥିଲେ । ମଡେଲିଂ କରିବା ମଧ୍ୟ ଜାରି ରଖିଥିଲେ । ଖୋର୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟରେ +୨ ଏବଂ ବାଙ୍କି ସ୍ବୟଂଶାସିତ ମହାବିଦ୍ୟାଳୟରେ +୩ରେ ରସାୟନ ବିଜ୍ଞାନରେ ସ୍ନାତକରେ ପଢ଼ିବା ବେିଳେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରି ଆସୁଥିଲେ । ପରେ ସେ ଅଭିନୟ ଦୁନିଆର ଆକର୍ଷଣରେ ପଡ଼ିଥିଲେ । ମେଗା ଧାରାବାହିକ ‘ହେ ପ୍ରଭୁ’, ‘ନୂଆବୋହୂ’ରେ ଅଭିନୟ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ‘ହାପି ଏଣ୍ଡିଂ’ରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।
ଗତ ସେପ୍ଟେମ୍ବର ମାସରେ ଓଡ଼ିଶାରେ ଆୟୋଜିତ ଅଡିସନ୍ରେ ପ୍ରଥମ ହୋଇ ଚଳିତ ମାସ ୨୮ ତାରିଖ ସଂଧ୍ୟାରେ ଗୋଆରେ ଆୟୋଜିତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରିୟଙ୍କା ଖୋର୍ଧା ପାଇକ ସଂସ୍କୃତି ଏବଂ ପାଇକ ବିଦ୍ରୋହର ଗାଥା ବହନ କରୁଥିବା ବେଶଭୂଷା ପରିଧାନ କରିଥିଲେ, ଯାହା ସେଠାରେ ଉପସ୍ଥିତ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଭଳି ଏକ ଜାତୀୟସ୍ତରର ପ୍ରତିଯୋଗିତାରେ ନିଜ ଜନ୍ମମାଟିକୁ ଉପସ୍ଥାପନ କରି ବିଜୟୀ ହେବା ମୋ ପାଇଁ ଗର୍ବର ବିଷୟ ବୋଲି ପ୍ରିୟଙ୍କା କହିଛନ୍ତି ।